Photograph: (Sardar Vallabhbhai Patel Post Graduate Institute of Paediatrics)
କଟକ: କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ମାରାତ୍ମକ ଆଡେନୋ ଭାଇରସ୍ର ଚିକିତ୍ସା ପଦ୍ଧତି ଉପରେ ଗବେଷଣା ପାଇଁ ଆଇସିଏମ୍ଆର୍(ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ପକ୍ଷରୁ ଶିଶୁଭବନକୁ ଅନୁମତି ପ୍ରଦାନ କରାଯାଇଛି। ଏହି ୩ ବର୍ଷିଆ ଗବେଷଣା ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁରି ମିଳିଛି। ୪ ଜଣିଆ ଡାକ୍ତରୀ ଟିମ୍ ଏହି ମାରାତ୍ମକ ଭାଇରସ୍ର ତୁରନ୍ତ ନିରୂପଣ ସହିତ ଉନ୍ନତମାନର ଚିକିତ୍ସା ପଦ୍ଧତି ଉପରେ ଗବେଷଣା କରିବେ। ଶିଶୁଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଭାଇରାଲ୍ ନିମୋନିଆ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଚିକିତ୍ସା ନଥାଏ। ସାଧାରଣତଃ ଭାଇରାଲ୍ ନିମୋନିଆରେ ଫ୍ଲୁ, ଆର୍ଏସ୍ଭି, ମେଟାନ୍ୟୁମୋ, ଆଡେନୋ ଭାଇରସ୍ ମଧ୍ୟରୁ ଆଡେନୋ ସବୁଠାରୁ ଅଧିକ ମାରାତ୍ମକ। ୫ ବର୍ଷରୁ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ ଏହି ଭାଇରସ୍ ଦେଖାଯାଏ।
ଆଇସିଏମ୍ଆର୍ ପକ୍ଷରୁ ୧ କୋଟି ୭୧ ଲକ୍ଷ ଅନୁମୋଦନ
ଗବେଷଣା ଟିମ୍ରେ ୪ ଡାକ୍ତର
୨୦୨୩-୨୪ରେ ଶିଶୁଭବନ ପକ୍ଷରୁ ଆଡେନୋ ଭାଇରସ୍ ଉପରେ ଗବେଷଣା କରାଯାଇଥିଲା। କିନ୍ତୁ ଏହାର ଚିକିତ୍ସା ସମ୍ପର୍କରେ ଗବେଷଣା ହୋଇନଥିଲା। ଆଡେନୋ ଭାଇରସ୍ ଶିଶୁଙ୍କୁ ଅଧିକ ଗୁରୁତର କରିଥାଏ। ସାଧାରଣ ଫ୍ଲୁ ଭଳି ଲକ୍ଷଣ ଦେଖାଏ। ହେଲେ ଏହାକୁ ଚିହ୍ନଟ କରିବା ସମ୍ଭବପର ହୁଏନାହିଁ। ବାୟୋଫାୟାର ମେସିନ୍ ନଥିଲେ ଏହାକୁ ଚିହ୍ନଟ କରିବା କଷ୍ଟକର। ତେବେ ଶିଶୁଭବନରେ ଏଭଳି ରୋଗରେ ଆକ୍ରାନ୍ତ ଶିଶୁଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଆଇସିଏମ୍ଆର(ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରସର୍ଚ୍ଚ)କୁ ପଠାଯାଏ। ସେଠୁ ରିପୋର୍ଟ ଆସିବାକୁ ୪ରୁ ୫ ଦିନ ସମୟ ଲାଗିଯାଏ। ଏବେ ଏହି ଭାଇରାଲ୍ ନିମୋନିଆ ପ୍ରୋଜେକ୍ଟ ଉପରେ ଶିଶୁଭବନର ଡାକ୍ତରୀ ଟିମ୍ ଗବେଷଣା କରିବାକୁ ଯାଉଛନ୍ତି। ଏଥିରେ ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର(ପିଆଇ) ଭାବେ ପ୍ରଫେସର ଡାକ୍ତର ବିଜୟ ମେହେର ଓ ତାଙ୍କୁ ସହଯୋଗ କରିବାକୁ ପେଡିଆଟ୍ରିକ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସାର୍ଥକ ନାୟକ, ମାଇକ୍ରୋବାୟୋଲଜିର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌମ୍ୟା ଶିବାନୀ ସାହୁ, ଏମ୍ଆର୍ୟୁ(ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ୟୁନିଟ୍)ର ବୈଜ୍ଞାନିକ ସାନ୍ତ୍ବନା ମନ୍ତ୍ରୀ ରହିଛନ୍ତି।
Follow Us