ଖଲ୍ଲିକୋଟ ହିଂସା ଓ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି, ୩୦ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍‌

Advertisment
ଖଲ୍ଲିକୋଟ ହିଂସା ଓ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି, ୩୦ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍‌

ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ତାରିଖ ଦିନ ପୋଷ୍ଟର ମରାକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି) ଗଠନ ହୋଇଛି। ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ଏହି ଘଟଣାର ତଦନ୍ତ ହେବ। ହତ୍ୟା ଘଟଣାରେ ସଂପୃକ୍ତ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଏହି ଟିମ୍‌ କାମ କରିବ। ଏସ୍‌ଆଇଟି ତଦନ୍ତ ରିପୋର୍ଟ ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ। ଏଡିଜି ରାଧାକୃଷ୍ଣ ଶର୍ମା ଗଂଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ଆଇନ ଶୃଙ୍ଖଳା ଉ‌ପରେ ନଜର ରଖିବେ।

ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଅଦ୍ୟାବଧି ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ। ଏହା ସହ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯିବ ଏବଂ ଏହି ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ନିମନ୍ତେ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଏହି ଅନୁସନ୍ଧାନକାରୀ ଦଳ ସମୟ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହା ସହ ପ୍ରାକ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ( ମୁଖ୍ୟାଳୟ) ଶ୍ରୀ ରାଧା କିଶନ ଶର୍ମା, ଆଇପିଏସ୍ ଛତ୍ରପୁରରେ ଅବସ୍ଥାନ କରିବେ ଏବଂ ଗଞ୍ଜାମ ଜିଲ୍ଲାର ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ। ସେ ୧୭ ମଇ ଠାରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ନଜର ରଖିବେ।

ସୂଚନାଯୋଗ୍ୟ, ଏହି ହିଂସା ଓ ହତ୍ୟାକାଣ୍ଡରେ ଦିଲ୍ଲୀପ ପାହାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହିଂସାର ଶିକାର ହୋଇଥିବା ଦୁଇଜଣଙ୍କର ଏମ୍‌କେସିଜି ଓ କଟକ ଏସ୍‌ସିବିରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ଦିଲ୍ଲୀପ ପାହାନଙ୍କ ଭାଇଙ୍କ ଅଭିଯୋଗ ପରେ ପ୍ରତିକ୍ରୟା ରଖିଛନ୍ତି ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ। ହିଂସାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟୀକରଣ ରଖିଛନ୍ତି। ଏହାସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି ଦୈତାରୀ ବେହେରା। ଘଟଣା ଦିନ ସେ ନିର୍ବାଚନ ପ୍ରଚାରରେ ଯାଇଥିବା କହିଛନ୍ତି ।

ସେହିପରି ଖଲ୍ଲିକୋଟ ରାଣୀଙ୍କ ପୁତୁରାଙ୍କ ମଧ୍ୟ ହିଂସାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଦୈତାରୀ ବେହେରା। ମୃତ ଦିଲ୍ଲୀପ ପାହାନଙ୍କ ଭାଇ ଜିତେନ୍ଦ୍ର ପାହାନଙ୍କ ଅଭିଯୋଗ ଅନୁସାରେ ଦଇତାରୀ ବେହେରା ଓ ସାକ୍ଷାତ ରାମାରାଓଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପରିଡ଼ା ସମସ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। କାର୍ତ୍ତିକର ଖଣ୍ଡା ଚୋଟରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ହନୁମାନ ମନ୍ଦିର ପାଖରେ ବିଜେପି ପୋଷ୍ଟର ଲଗାଇବା ବେଳେ ୪୦ରୁ ୫୦ଜଣ ଆସି ଅତର୍କିତ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe