ଖଣି ଦୁର୍ନୀତିର ଏସ୍‌ଆଇଟି ତଦନ୍ତ ପ୍ରସଙ୍ଗ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

କଟକ : ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏସ୍‌ଆଇଟି ଦ୍ବାରା ଖଣି ଦୁର୍ନୀତି ଘଟଣାର ତଦନ୍ତ ପ୍ରସଂଗକୁ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏହି ପ୍ରସଂଗ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଆବେଦନକାରୀ ଚାହିଁଲେ ଏହି ପ୍ରସଂଗ ସୁପ୍ରିମକୋର୍ଟରେ ଉଠାଇ ପାରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଦର୍ଶନ ନାୟକ ଓ ପ୍ରଦୀପ୍ତ କୁମାର ଜେନାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୦, ନଭେମ୍ବର ୨୨ରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏମ୍‌ବି ଶାହାଙ୍କ ଅଧ୍ୟକ୍ଷତାରେ କମିସନ ଗଠନ କରିଥିଲେ। ବେଆଇନ ଲୁହା ପଥର ଓ ମାଙ୍ଗାନିଜ ଉତ୍ତୋଳନ ପ୍ରସଂଗରେ ତଦନ୍ତ କରି କମିସନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ୨୦୧୭, ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ କହିଥିଲେ। ଏହି କମିଟି ଓଡ଼ିଶା ସହିତ ଅନ୍ୟ ରାଜ୍ୟରେ  ବେଆଇନ ଖଣି ଖନନ ପ୍ରସଂଗ ଓ ଏହାର ପ୍ରତିଷେଧକ ବ୍ୟବସ୍ଥା ଉପରେ ପରାମର୍ଶ ପ୍ରଦାନ କରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଶାହା କମିସନ ରିପୋର୍ଟକୁ ଆବେଦନ ସହିତ ହାଇକୋର୍ଟରେ ଦାଖଲ କରି ଆବେଦନକାରୀ ଦର୍ଶାଇଥିଲେ ଯେ ରାଜ୍ୟରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତ‌ାରେ ଏକ ‘ସ୍ପେସାଲ୍‌ ଇନଭେଷ୍ଟିଗେସନ୍ ଟିମ୍’ ଗଠନ କରାଯାଉ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବାବେଳେ ଅରୁଣ କୁମାର ବୁଦ୍ଧିଆ ସହାୟତା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe