ବରପାଲି ଶୀତଳଷଷ୍ଠୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବଦମ୍ପତି

Advertisment
ବରପାଲି ଶୀତଳଷଷ୍ଠୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେବଦମ୍ପତି

ବରପାଲି: ସ୍ଥାନୀୟ ଭଣ୍ତାରଗୃହରୁ ମଙ୍ଗଳବାର ରାତି ୧୧ଟାରେ ବାବା କପିଳେଶ୍ବରଙ୍କ ବରାନୁଗମନ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଆଜି ଭୋର୍‌ ୫ଟା ସମୟରେ ତହସିଲ ଛକସ୍ଥିତ ହିମାଦ୍ରୀ ନଗର ନବରତ୍ନ ମଣ୍ଡପଠାରେ ପହଂଚିଥିଲେ। ସେଠାରେ ବୈଦିକ ରୀତିରେ ଦେବଦମ୍ପତିଙ୍କ ବିବାହ ମନ୍ଦିର ପୂଜକମାନଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ପରେ ପାଣିଗ୍ରହଣ ଓ ହସ୍ତବନ୍ଧନ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା। ସେହିପରି ଭଣ୍ତାର ଗୃହରେ ଶ୍ରୀ ଶ୍ରୀ ନଟରାଜ ଶିବଙ୍କ ଶତଆରତି କରାଯାଇଥିଲା।

publive-image

ବିବାହ ନିମନ୍ତେ କନ୍ୟାପିତା ରାଜଗୋପାଳ ଦାଶଙ୍କ ତରଫରୁ ମୌଳା ନିଉତା ପାଇଁ ମାତା ପାର୍ବତୀଙ୍କ ମାମୁଁଘରକୁ ନିମନ୍ତ୍ରଣ କରାଯାଇଥିଲା। ଗୋପେଇପାଲି, ଲେଣ୍ତା, କଦଳୀପାଲି, ଅଇଁଠାପାଲି, ପତ୍ରାପାଲି ଆଦି ଗ୍ରାମରୁ ମୌଳାଭାର ପହଂଚିଥିଲା। ଦେବଦମ୍ପତିଙ୍କ ହସ୍ତବନ୍ଧନ ସମୟରେ କନ୍ୟାପିତା ରାଜଗୋପାଳ ଦାଶ, ବରଘର ପକ୍ଷରୁ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ, ବିଭୂତି ମିଶ୍ର, ବିଜୟ ମିଶ୍ର, ଜୟନ୍ତ ତ୍ରିପାଠୀ, ପିନାକୀ ଦାଶ, ପଣ୍ତିତ ହେମନ୍ତ ମିଶ୍ର, ସଦାନନ୍ଦ ଦାଶ, ଡୋଳାମଣି ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ଅ‌ଂଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ହିମାଦ୍ରୀ ନଗର ମଣ୍ତପରେ ପହଂଚି ଦେବଦମ୍ପତିଙ୍କ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ଅବସରରେ ଭକ୍ତମାନଙ୍କ ପାଇଁ ହିମାଦ୍ରୀ ନଗରବାସୀ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା।

publive-image

ଏଥିସହ ଅପରାହ୍ନ ଗୋଟାଏରେ ରାଜବାଟୀ ସମ୍ମୁଖରେ ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଅନ୍ନକୋଟ୍‌ର ବ୍ୟବସ୍ଥା କରାଯାଇଥିଲା। ରାତି ସମୟରେ ଭଣ୍ଡାର ଗୃହ ପକ୍ଷରୁ ବିଭିନ୍ନ ଛକଗୁଡ଼ିକରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ହିମାଦ୍ରୀ ନଗରଠା‌ରେ ସୂରଜ ଦେବତାଙ୍କ ଦ୍ବାରା ପାରାୟଣ ଓ ଅର୍କେଷ୍ଟ୍ରା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe