ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ବରପାଲି ଶୀତଳଷଷ୍ଠୀ

Advertisment
ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ବରପାଲି ଶୀତଳଷଷ୍ଠୀ

ବରପାଲି: ବରପାଲିର ୧୪୬ତମ ଶୀତଳ ଷଷ୍ଠୀ ଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସମାହିତ ହୋଇଛି। ଗୁରୁବାର ଅପରାହ୍‌ଣରେ ବାବା କପିଳେଶ୍ୱର ଓ ମା’ ପାର୍ବତୀଙ୍କ ଲମେନ ଶୋଭାଯାତ୍ରା ହିମାଦ୍ରୀ ନଗର ତହସିଲ ଛକରୁ ଏକ ବିରାଟ ପଟୁଆରରେ ବାହାରିଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଦେବ ଦମ୍ପତି ରାତି ପ୍ରାୟ ୧୧ଟାରେ ରାଜବାଟି ପହଞ୍ଚିବା ପରେ ସେଠାରେ ସହସ୍ର ଆଳତି କରି ସେମାନଙ୍କୁ ଭଣ୍ଡାର ଗୃହକୁ ନିଆଯାଇଥିଲା। ରାତି ୧ଟାରେ ଭଣ୍ଡାର ଗୃହରୁ ବାବା କପିଳେଶ୍ୱରଙ୍କ ପରଭା ସମେତ ଅନ୍ୟାନ୍ୟ ଦେବତାଙ୍କ ପରଭା ଉଠିଥିଲା। ଏହି ସମୟରେ ଆତସବାଜି କରାଯାଇଥିଲା। ଚଳିତ ବର୍ଷ ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଦଳଗୁଡ଼ିକୁ ସାମିଲ କରାଯାଇଥିଲା। ବିଶେଷ କରି ଉଜ୍ଜୟିନୀରୁ ଆସିଥିବା ଡମ୍ବରୁ ନୃତ୍ୟକୁ ଲୋକେ ବେଶ୍ ପସନ୍ଦ କରିଥିଲେ। ଶୋଭାଯାତ୍ରା ଶୁକ୍ରବାର ସକାଳ ୬ଟା ବେଳେ ଥାନା ଛକରେ ପହଞ୍ଚିବା ପରେ ଭକ୍ତମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପୁଣି ସକାଳ ୧୦ଟାରେ ବାବାଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

publive-image

ନଗର ପରିକ୍ରମା କରି ଶୋଭାଯାତ୍ରା ସନ୍ଧ୍ୟାରେ ରାଜବାଟୀ ସମ୍ମୁଖରେ ପହଞ୍ଚିବା ପରେ ପରଭା ଅବତରଣ କରାଯାଇଥିଲା। ସେଠାରେ ମହତି ଭୋଗ ଅର୍ପଣ କରାଯିବା ପରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ସମାହିତ ହୋଇଥିଲା। ଚଳିତ ବର୍ଷ ଅଧିକ ଜନଗହଳି ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ବି ସୁନା ଚେନ୍ ଲୁଟ, ମୋବାଇଲ ଚୋରି, ପାକେଟ ମାର ଆଦି ବହୁ ଘଟଣା ଘଟିଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସହଯୋଗରେ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଶିତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ଯାତ୍ରା କମିଟିର ସୋସିଆଲ ମିଡିଆ ଓ ଟିମ ସ୍ମରଣିକା ମିଳିତ ଆନୁକୂଲ୍ୟରେ ବର୍ଷେ ଧରି କୁଇଜ୍ ପ୍ରତିଯୋଗିତା ହୋଇ ଆସୁଥିଲା। ଏଥିରେ ୬ ଜଣ ପ୍ରତିଯୋଗୀ ଭଟିଗାଁର ରଞ୍ଜୁ ପ୍ରଧାନ, ଜାଲପାଲିର ସ୍ଵପ୍ନାରାଣୀ ପାଣିଗ୍ରାହୀ, ବରଗଡ଼ର ରିମା ନନ୍ଦ, ସାନ ଫାସଡ଼ର ସୁଧୀର ପଧାନ, ବାରିକଟିକିରାର ରାଜୀବ ପ୍ରଧାନ ଓ ଦେଶଭଟଲିର ଶୈଳେଶ ତ୍ରିପାଠୀଙ୍କୁ ଙ୍କୁ ଲକି ଡ୍ର ମାଧ୍ୟମରେ ବିଜେତା ଘୋଷଣା କରାଯାଇଥିଲା। ଗୁରୁବାର ଅନୁଷ୍ଠିତ ନଟରାଜ ମହୋତ୍ସବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସେମାନଙ୍କୁ ପୁରସ୍କୃତ କରିଥିଲେ। ଅଶୋକ ପଣ୍ଡା, ଅରୁଣ ପଣ୍ଡା, ସୁଧୀର ଗଡ଼ତିଆ, ଲିପନ ଦାଶ ଓ ସତ୍ୟମ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe