ଶୀତଳ ଷଷ୍ଠୀ ଯାତ୍ରା ବିବରଣୀ ରଖିଲେ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା କମିଟି

Advertisment

ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିର ସାମ୍ବାଦିକ ସମ୍ମିଳନୀ

ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତିର ସାମ୍ବାଦିକ ସମ୍ମିଳନୀ

ଶୀତଳ ଷଷ୍ଠୀ ଯାତ୍ରା ବିବରଣୀ ରଖିଲେ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା କମିଟି

ସମ୍ବଲପୁର:‌ ସମ୍ବଲପୁରର ୪୫୦ ବର୍ଷର ଶୀତଳଷଷ୍ଠୀ ଇତିହାସରେ କରୋନା କାରଣରୁ ଦୁଇ ବର୍ଷ ଶୋଭାଯାତ୍ରା ଆୟୋଜନ ନହେବା ଏକ ବ୍ୟତିକ୍ରମ ଥିଲା। ୨୦୨୦ ଓ ୨୦୨୧ରେ ବିନା ଶୋଭାଯାତ୍ରାରେ ଶିବବିବାହ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଥିଲା। ହେଲେ କଟକଣା ଉଠିବା ପରେ ଏଥର ତିନିଗୁଣା ଉତ୍ସାହରେ ଯାତ୍ରା ଆୟୋଜନ ପାଇଁ ଲାଗି ପଡ଼ିଛନ୍ତି ସବୁ ଯାତ୍ରା କମିଟି। ବିଶ୍ବର ସର୍ବବୃହତ୍‌ ସାଂସ୍କୃତିକ ଶୋଭାଯାତ୍ରା ବିବେଚିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବଲପୁରର ତିନି ପ୍ରାଚୀନ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ତରଫରୁ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାତ୍ରାର ପ୍ରସ୍ତୁତି ସଂପର୍କରେ ସୂଚନା ଦିଆ ଯାଇଥିଲା। ମିଳିତ ସମନ୍ବୟ ସମିତି ସଭାପତି ସୁଶାନ୍ତ ପୁରୋହିତ କହିଲେ, ଚଳିତ ବର୍ଷ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁର ପୁଲିସ୍, ମହାନଗର ନିଗମ ପକ୍ଷରୁ ସହଯୋଗ ମିଳୁଛି।

କିନ୍ତୁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମୁତାବକ ରାସ୍ତା ମରାମତି କରାଯାଇ ନାହିଁ। ସରକାରଙ୍କ ପକ୍ଷରୁ ଅନୁଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ବି ଏପର୍ଯ୍ୟନ୍ତ ତାହା ହସ୍ତଗତ ହୋଇ ନାହିଁ ବୋଲି ସେ କହିଥିଲେ। ସମନ୍ବୟ ସମିତି କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତିନି ପଡ଼ାର ସଭାପତି ନିଜ ନିଜ ଯାତ୍ରାର ଆୟୋଜନ ସଂପର୍କରେ ସୂଚନା ଦେଇଥିଲେ। ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଜଗଦୀଶ ପଣ୍ଡା କହିଲେ, ଏଥର ମୁଦିପଡ଼ା ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରିବ।

ଏଥିରେ ୨୩୦୦ରୁ ୨୫୦୦ କଳାକାର ସାମିଲ ହେବେ। ଯାତ୍ରା ପାଇଁ ଏଥର ୩୦ରୁ ୩୫ ଲକ୍ଷ ଟଙ୍କା ବଜେଟ୍ ରହିଛି। ଏଥର ମାତା ପାର୍ବତୀଙ୍କ ସିଂହ ବାହନ ଅଷ୍ଟଧାତୁରେ ନିର୍ମିତ ହୋଇଥିବା  ସେ ସୂଚନା ଦେଇଥିଲେ। ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ପ୍ରଶାନ୍ତ ବରେଇ କହିଲେ, ଏଥର ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ପାଇଁ ଦେଢ଼ କୁଇଣ୍ଟାଲ୍ ରୁପାରେ ନୂଆ ପରଭା (ଚାନ୍ଦି ମେଢ଼) ତିଆରି ହୋଇଛି ଯାହା ଯାତ୍ରାର ମୁଖ୍ୟ ଆକର୍ଷଣ ହେବ। ଯାତ୍ରା ପାଇଁ ୩୦ରୁ ୩୫ ଲକ୍ଷ ବଜେଟ୍ ହୋଇଥିବାବେଳେ ୧୫୦୦ କଳାକାରଙ୍କ ସମାଗମ ହେବ ବୋଲି ସେ ସୂୂଚନା ଦେଇଥିଲେ।

ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ସରୋଜ ଦଲପତ କହିଲେ ଲୋକନାଥ ବାବାଙ୍କ ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାରେ ଏଥର ୧୬୦୦ରୁ ୧୯୦୦ କଳାକାରଙ୍କ ସମାଗମ ହେବ। ଏହି ଯାତ୍ରା ପାଇଁ ୩୩ରୁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରା ଯାଇଛି। ଏଥର ଶୀତଳଷଷ୍ଠୀ ଯାତ୍ରା ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଆହୁରି ଆକର୍ଷଣୀୟ ହେବ ଓ ତିନି ପଡ଼ା ସମନ୍ବୟ ରକ୍ଷା କରି  ଏହାକୁ ଆୟୋଜନ କରିବେ ବୋଲି ସେ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀକୁ ଅ‌ଭିଷେକ ମିଶ୍ର ସ‌ଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe