ସୁବର୍ଣ୍ଣପୁର: ଗୋଟିଏ ପରିବାରର ୫ ଜଣଙ୍କ ସହ ୬ କରୋନା ପଜିଟିଭ ଚିହ୍ନଟ

ସୁବର୍ଣ୍ଣପୁର: ଗୋଟିଏ ପରିବାରର ୫ ଜଣଙ୍କ ସହ ୬ କରୋନା ପଜିଟିଭ ଚିହ୍ନଟ

image source-long island press

ସୋନପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରବିବାର ପୁଣି ୬ ଜଣଙ୍କଠାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ଡା. ଦିଲ୍ଳୀପ ପଣ୍ତା ସୂଚନା ଦେଇଛନ୍ତି। ବୀରମହାରାଜପୁର ବ୍ଲକ୍‌ ପିତାମହୁଲ ପଞ୍ଚାୟତର ଟେଭାପଦର ଗ୍ରାମର ଗୋଟିଏ ପରିବାରର ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୫୪ ବର୍ଷୀୟ ବ୍ୟକ୍ତି, ତାଙ୍କ ସ୍ତ୍ରୀ (୫୦ ବର୍ଷ), ବୋହୂ, ପୁଅ ଓ ନାତି ଅଛନ୍ତି।

ସେହିପରି ଉଲୁଣ୍ତା ବ୍ଲକ୍‌ ମହଦା ପଞ୍ଚାୟତର ଇଛାପୁର ଗ୍ରାମର ଜଣେ ୨୭ ବର୍ଷୀୟ ଯୁବକ ଯିଏକି ଟେଭାପଦର ଗ୍ରାମକୁ ତାଙ୍କ ଭଉଣୀକୁ ଛାଡିବାକୁ ଆସିଥିଲେ ତାଙ୍କର ମଧ୍ୟ କରୋନା ପଜିଟିଭ୍ ରିପୋର୍ଟ ଆସିଛି। ସମସ୍ତ ଆକ୍ରାନ୍ତଙ୍କ କରୋନା ଲକ୍ଷଣ ଦେଖା ଦେବାରୁ ସମସ୍ତଙ୍କର ରାପିଡ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ଯାହାକି ପଜିଟିଭ୍ ଆସିଛି ବୋଲି ସୂଚନା ଦିଆଯାଇଛି।

ଟେଭାପଦର ଗ୍ରାମର ଆକ୍ରାନ୍ତ ବ୍ୟକ୍ତିମାନେ ଗତ ୧୦ ତାରିଖ ଦିନ ବୌଦ୍ଧ ଯାଇଥିବା ସେମାନଙ୍କର ଭ୍ରମଣ ଇତିହାସରୁ ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ସୋନପୁର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତମାନଙ୍କର ମିଳାମିଶା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ଚାଲିଥିବା ସୂଚନା ଦିଆଯାଇଛି। ଆକ୍ରାନ୍ତମାନେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ତେବେ ତନ୍ମଧ୍ୟରୁ ୪୪ ସୁସ୍ଥ ହୋଇ ସାରିଛନ୍ତି।

ଟେଭାପଦର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ ପରେ ପିତାମହୁଲ ସରପଞ୍ଚ ସରୋଜ ବାରିକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପିତାମହୁଲ ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ସେହିପରି ପଡ଼ୋଶୀ ସୁବଳୟାକୁ ସରପଞ୍ଚ ଲିଲି ପାତ୍ର, ଜଟେସିଂହା ପଞ୍ଚାୟତକୁ ସରପଞ୍ଚ ରୁଦ୍ରାଣୀ ଚାନ୍ଦ, କମିରା ପଞ୍ଚାୟତକୁ ସରପଞ୍ଚ ଶ୍ରୀକୃଷ୍ଣ ପ୍ରଧାନ ଓ ସଂଗ୍ରାମପୁର ପଞ୍ଚାୟତକୁ ସରପଞ୍ଚ ରାଜକିଶୋର ନାୟକ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିସହିତ ବାଗବର, ବିଲୁଙ୍ଗ, ଚମ୍ପାମାଳ ଓ ଉଫୁଲା ପଞ୍ଚାୟତକୁ ବି ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe