ଜୟପୁର : ଜିଲ୍ଲା ସ˚ଗ୍ରହାଳୟରୁ ଚୋରିକୁ ୬ ଦିନ ବିତିଲା, ଏବେ ବି ଖୋଲାମେଲାରେ ପଡିଛି କୋଟି କୋଟି ଟଙ୍କାର କିର୍ତ୍ତିରାଜି

Advertisment
ଜୟପୁର : ଜିଲ୍ଲା ସ˚ଗ୍ରହାଳୟରୁ ଚୋରିକୁ ୬ ଦିନ ବିତିଲା, ଏବେ ବି ଖୋଲାମେଲାରେ ପଡିଛି କୋଟି କୋଟି ଟଙ୍କାର କିର୍ତ୍ତିରାଜି

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ତର ଗୋପବନ୍ଧୁ ନଗରସ୍ଥିତ ଟାଉନ ହଲ ପରିସରରେ ଥିବା ଜିଲ୍ଲା ସ˚ଗ୍ରହାଳୟରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟବାନ ଜିନିଷ ଚୋରିଯିବା ଘଟଣାକୁ ୬ ଦିନ ବିତିଛି। ଏବେ ବି ଖୋଲାମେଲାରେ ରହିଛି ଏହି ସଂଗ୍ରହାଳୟ। ଥାନାରେ ଅଭିଯୋଗକୁ ୪ ଦିନ ବିତିଥିବାବେଳେ ଏବେ ଯାଏ ମାମଲା ରୁଜୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଖୋଳତାଡ କରୁଥିବାବେଳେ ଖୋଲାମେଲାରେ ପୂର୍ବପରି ପଡି ରହିଛି ଏହି ସଂଗ୍ରହାଳୟ। ଦିନରେ ପିଅନ ରାମ ଚରଣ ହରିଜନ ଟହଲ ମାରୁଥିବାବେଳେ ରାତିରେ ଦୁଇଟି ତାଲା ଭରଷାରେ ରହିଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜିନିଷ। କେବଳ ଭଙ୍ଗା ଯାଇଥିବା ତାଲା ଓ କବାଟକୁ ମରାମତି କରି କାମ ତୁଟାଇ ଦେଇଛି ଜିଲ୍ଲା ସଂସ୍କୃତି ବିଭାଗ। ଅଭିଯୋଗକୁ ୪ ଦିନ ବିତିଥିବାବେଳେ ପୁଲିସ ପକ୍ଷରୁ ଜିଲ୍ଲା ସଂସ୍କୃତି ବିଭାଗକୁ ଏଫଆଇଆରର ନକଲ ମଧ୍ୟ ଦେଇ ନ ଥିବା କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ଏ.କେ ସେଠୀ।

ସୋମବାର ଦିନ ଜିଲ୍ଲା ସଂସ୍କୃତି ଅଧିକାରୀ ଏ.କେ ସେଠୀ ଚୋରିଯାଇଥିବା ସ୍ଥାନ ବୁଲି ଦେଖିଥିଲେ। ସଂଗ୍ରହାଳୟରେ ରହିଥିବା କେତେ ଜିନିଷ ଚୋରି ହୋଇଛି କେତେ ଅଛି ତାହାର ହିସାବ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଇବାକୁ ଯୋଜନା ରହିଥିଲା। ହେଲେ ଅଭିଯୋଗପତ୍ରର ନକଲ ଦିଆଯାଇ ନ ଥିବାବେଳେ ପୁରାତନ ତାଲିକାକୁ ତନଖି କରି ଏବେ ଯାଏଁ ରାଜ୍ୟ ସଂସ୍କୃତି ବିଭାଗକୁ ଅବଗତ କରାଯାଇ ନ ଥିବା ଜଣାପଡିଛି। ଫଳରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାଜ୍ୟସ୍ତରରୁ ଏହିଠାକୁ ଆସିବାକୁ ଥିବା ଏକ ଟିମ୍ ତାହାର ଗସ୍ତ ସୂଚି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଗତ ଶନିବାର ରାତିରେ ଏହିଠାରୁ ଦୁବୃର୍ତ୍ତମାନେ ପଶି କବାଟ ଭାଙ୍ଗି ହାତୀ ଦାନ୍ତ ଥିବା ଏକ ରଥ, ଏକାଧିକ ଧାତବ ମୂର୍ତି, ବିରଳ ମୁଦ୍ରା, ଆଦିବାସୀ ରୁପା ଓ ସୁନା ଅଳଙ୍କାର, ବିରଳ ନାଟରାଜ ମୂର୍ତି, ପିତ୍ତଳ ମୂର୍ତି ସହ ବହୁ ଟଙ୍କାର ଜିନିଷ ଚୋରି ହୋଇଥିବା ଜଣାପଡିଛି। ଗତକାଲି ପୁଲିସ ଆସି ତନାଘନା କରିଥିବାବେଳେ କେୟାରଟେକର ରାମଚରଣ ହରିଜନଙ୍କୁ ପଚରାଉଚୁରା କରିଛି। ପରିସରରେ ରହିଥିବା ଏକାଧିକ ବକ୍ସକୁ ଦୁବୃର୍ତ୍ତମାନେ ଭାଙ୍ଗି ନଷ୍ଟ କରିଦେଇଥିବା ଜଣାପଡିଛି। ଏହିଠାରେ ଶତାଧିକ କଳାକୃର୍ତ୍ତି, ୪୭ଟି ବିରଳ ଜୌନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରରୁ ଧାନ ନମୂନା, ୨୦ରୁ ଅଧିକ ପ୍ରକାରର କାଠ ନମୂନା, ଡାଲି ଜାତୀୟ ଦ୍ରବ୍ୟ, ଶିଳାଲିପି, ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଅବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଠେଇ, ଲାଖ କାମ, ଆଦିବାସୀ ଲୁଗା, ୬୦ରୁ ବିରଳମୁଦ୍ରା, ହାତୀ ଦାନ୍ତରେ ତିଆରି ରଥ, ଢୋକ୍ରା କଳାକୃତ୍ତି ଓ ମହମ ତିଆରି ସାମଗ୍ରୀ ରହିଥିଲା। ୨୫୦ରୁ ଅଧିକ ମୂଲ୍ୟବାନ ଜିନିଷ ମଧ୍ୟରୁ ଚୋରି ଯିବା ପରେ ମାତ୍ର ହାତଗଣତି କିଛି ଜିନିଷ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe