ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ

ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ

newindianexpress.com

ଭୁବନେଶ୍ବର:  ଆଠଗଡ଼ ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଗିରଫ  ୬ ବନ କର୍ମଚାରୀ  ନିଲମ୍ବିତ ହେବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଦେବୀଦତ୍ତ ବିଶ୍ୱାଳ। ସେ କହିଛନ୍ତି, ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ।
ରେଞ୍ଜରଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ଡି ଏଫ ଓ଼ ନିଲମ୍ବନ କରିବେ। ରେଞ୍ଜରଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ଡି ଏଫ ଓ଼।
ହାତୀ ଦାନ୍ତ ରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ତଦନ୍ତ ଚାଲିଥିବା ମାମଲାରେ ତାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ବୋଲି ପିସିସିଏଫ କହିଛନ୍ତି।

ସୂଚନାଯୋଗ୍ୟ,  ଆଠଗଡ଼ ବନଖଣ୍ଡ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟଣାକୁ ନେଇ ଗତ ୬ ତାରିଖରେ ପ୍ରତିକ୍ରିୟା ରଖି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଥିଲେ, ବନ ବିଭାଗ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖଦାୟକ। ଘଟଣାର ତଦନ୍ତ ପାଇଁ କ ଜଣେ ଅଧିକାରୀଙ୍କୁ ଆଠଗଡ଼ ପଠା ଯାଇଛି। ଆଜି ଭିତରେ ସେ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି।ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅଭିଯୁକ୍ତଙ୍କର ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଥାର୍ଡ ଡିଗ୍ରିରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥାଏ, ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର ଧନେଶ୍ବର ବେହେରା (୫୯) । ଏହାପରେ ଆଠଗଡ଼ ଥାନା ପୁଲିସ୍ ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣଙ୍କୁ ଉଠାଇନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe