ରାଉରକେଲା: ଡକାୟତି ଯୋଜନା ଘଟଣାରେ ରଘୁନାଥପାଲି ପୁଲିସ ୬ ଜଣଙ୍କୁ ଗିରଫ କରିଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଡକାୟତମାନେ ହେଲେ ମୁଣ୍ଡାବସ୍ତିର ବିନାୟକ ମଲ୍ଲିକ ଓରଫ୍ ବିନୋଦ (୩୮), ଦେଓଗାଁର ସୁନାୟକ ମଲ୍ଲିକ ଓରଫ୍ ହାଡ଼ୁ (୨୬), ବିବେକ ବାହାଦୁର, ଶୀତଳପଡ଼ାର ଜଟା ଲାକ୍ରା, ଦଣ୍ଡିଆପାଲ୍ଲୀର ସତ୍ୟବାନ ସାହୁ (୨୨) ଓ ରୁପୁଟୋଲାର ଧନୁ ବାହାଦୂର। ଏମାନଙ୍କ ନିକଟରୁ ଦୁଇଟି ଛୁରି, ଗୋଟିଏ ଖେଳନା ବନ୍ଧୁକ, ଖଣ୍ଡା, ଚାରିଟି ଅଫୁଟା ବୋମା, ଦୁଇଟି ମୋଟରବାଇକ୍ ଜବତ ହୋଇଛି। ଗତକାଲି ରାତିରେ ଡକାୟତ ଦଳର ୬ ଜଣିଆ ଗ୍ୟାଙ୍ଗ ତରକେରା ପେଟ୍ରୋଲ ପମ୍ପରୁ ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ରଘୁନାଥପାଲୀ ପୁଲିସର ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଖସିଯିବାକୁ ସେଠାରୁ ଦୌଡିବାକୁ ଲାଗିଥିଲେ। ପୁଲିସ ସେମାନଙ୍କ ପିଛା କରି ସମସ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଗିରଫ ଡକାୟତିମାନଙ୍କ ନାଁରେ ସହରର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ପୁଲିସ ପ୍ରାଥମିକ ତଦନନ୍ତରୁ ଜାଣିବାକୁ ପାଇଛି। ଏମାନଙ୍କ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଡକାୟତି ଯୋଜନା ପଣ୍ଡ: ୬ ଗିରଫ
Advertisment
Follow Us