ଭୁବନେଶ୍ବର/ଓଡ଼ାପଡ଼ା: ଦୁଇମାସ ପରେ ପୁଣି ଥରେ ଇଟାଭାଟିରେ ଅଘଟଣ ଘଟିଛି। ଇଟାଭାଟିରେ ପ୍ରାୟ ୨ ମାସରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଅଘଟଣ ଘଟୁଥିବା ବେଳେ ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ, କମଳାଙ୍ଗ ନିକଟ ଇଟାଭାଟିରେ ଆଜି ତିନି ଜଣଙ୍କର ମୃତ୍ୟୁ ହୋଇ ନଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗାଁ ନିକଟରେ ଆଜି ଜଣେ ୭ ବର୍ଷର ନାବାଳକଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମେଘନାଦ ଭୋଇ (୫୦), ନିରା ଭୋଇ (୪୫) ଓ ଜିତୁ ଭୋଇ (୭)। ଗୁରୁତର ହେଲେ ଶିବଦାସ ଭୋଇ (୧୮)। ମୃତକଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡିଛି।
/sambad/media/post_attachments/wp-content/uploads/2024/02/3bf9e7ca-a3b4-4427-b7d6-53499c2fde14.jpeg)
ସୂଚନା ଅନୁସାରେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତକମଳାଙ୍ଗ ଗାଁ ନିକଟ ବ୍ରାହ୍ମଣୀ ନଦୀପଠାର ଇଟାଭାଟି ଗଢ଼ା ଚାଲିଛି। ଗତକାଲି ସନ୍ଧ୍ୟାରେ ଏକ ଉପର ଇଟାଭାଟିରେ ନିଆଁ ଲଗାଯାଇଥିଲା। ଗୋଟିଏ ପରିବାରର ୪ ଜଣ (ମେଘନାଦ, ନିରା, ଜିତୁ ଓ ଶିବଦାସ) ଖାଇ ସାରିବା ପରେ ହାତୀ ଭୟରେ ଇଟାଭାଟି ଉପରକୁ ଯାଇ ଶୋଇଥିଲେ। ବିଳମ୍ବିତ ରାତିରେ ଇଟା ଭାଟିରେ ନିଆଁ ଧରିବା ପରେ ଧୁଆ ବାହାରି ଥିଲା। ଇଟାଭାଟି ଉପରେ ଶୋଇଥିବା ୪ ଜଣ ଯାକ ସେହି ଧୁଆଁରେ ଅଣ ନିଃଶ୍ବାସୀ ହୋଇଥିଲେ। ଘଟଣାସ୍ଥଳରେ ମେଘନାଦ, ନିରା ଓ ଜିତୁଙ୍କ ମୃତ୍ୟୁ ହୋଇଥିଲା। ଶବିଦାସ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଟାଭାଟି ମାଲିକ ଫେରାର ଥିବା ଜଣାପଡିଛି। କଣ୍ଟାବଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2024/02/796b0bfa-7987-4faf-97bd-ee0612b3edd3.jpeg)
ସୂଚନାଯୋଗ୍ୟ, ଦୁଇମାସ ପୂର୍ବରୁ ମାନପୁର ଗ୍ରାମରେ ଥିବା ବେଆଇନ ଇଟାଭାଟିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
Follow Us