ସରସ ଆଜୀବିକା ମେଳାରେ ଓଡ଼ିଶାର ୬ ଷ୍ଟଲ୍‌

Advertisment
ସରସ ଆଜୀବିକା ମେଳାରେ ଓଡ଼ିଶାର ୬ ଷ୍ଟଲ୍‌

ଭୁବନେଶ୍ବର : ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୩୩ରେ ଥିବା ‘ନୋଏଡା ହାଟ୍’ ପରିସରରେ ଆରମ୍ଭ ହୋଇଛି ‘ସରସ ଆଜୀବିକା ମେଳା-୨୦୨୨’। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଦେଶର ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ, ଘରକରଣା ଜିନିଷ, ହସ୍ତତନ୍ତ ଓ ଖାଦ୍ୟପେୟ ଆଦି ଏହି ମେଳାରେ ବିକ୍ରି ହେଉଛି। ଓଡ଼ିଶା ଗ୍ୟାଲେରିରେ କେନ୍ଦୁଝର, ବାଲେଶ୍ବର, କେନ୍ଦ୍ରାପଡ଼ା, କୋରାପୁଟ, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାର ୬ଟି ଏସ୍‌ଏଚ୍‌ଜି ମାଆମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନେଇ ୬ଟି ଷ୍ଟଲ ସ୍ଥାପନ କରାଯାଇଛି।

ଏଥିରେ କେନ୍ଦୁଝର ଜୟ ଦୁର୍ଗା ଏସ୍ଏଚ୍‌ଜି ଦ୍ବାରା କାଗଜରୁ ତିଆରି ବିଭିନ୍ନ ଘର ସାଜସଜ୍ଜା ଓ ଅଫିସ ଷ୍ଟେସନାରି ସାମଗ୍ରୀ ରହିଥିବା ବେଳେ, କେନ୍ଦ୍ରାପଡ଼ାର ସୀତାରାମ ଏସ୍ଏଚ୍‌ଜି ତରଫରୁ କାଇଁଚ ଘାସରୁ ହାତ ତିଆରି ଆକର୍ଷଣୀୟ ଘରସଜ୍ଜା ଜିନିଷ ବିକ୍ରି କରାଯାଉଛି। କୋରାପୁଟର ପାର୍ବତୀ ଏସ୍‌ଏଚ୍‌ଜି ଦ୍ବାରା ପ୍ରସ୍ତୁତ କଳାଜିରା ଚାଉଳ, ସୁଆଁ, ହଳଦୀ ଗୁଣ୍ଡ, ଫୁଲ ଝାଡ଼ୁ, ଲେମନ ଗ୍ରାସ୍ ତେଲ ସହ ହଳଦୀରୁ ପ୍ରସ୍ତୁତ ଦେହ ଲଗା ସାବୁନ ବିକ୍ରି ହେଉଛି। ଝାରସୁଗୁଡ଼ାର ମାଆ ସମଲେଶ୍ବରୀ ଏସ୍ଏଚ୍‌ଜି ତରଫରୁ ବଡ଼ି ଓ ପାମ୍ପଡ଼ ବିକ୍ରି କରାଯାଉଥିବା ବେଳେ ବାଲେଶ୍ବରର ବାବା କୌଡ଼ିଆଶ୍ବର ଏସ୍ଏଚ୍‌ଜି ଦ୍ବାରା ତିଆରି ଟସର ଶାଢ଼ି, ଜ୍ୟାକେଟ ଓ ଷ୍ଟେଲ ବିକ୍ରି କରାଯାଉଛି। ସେହିପରି ବୌଦ୍ଧର ଭାଗ୍ୟଲକ୍ଷ୍ମୀ ଏସ୍ଏଚ୍‌ଜି ସଦସ୍ୟମାନଙ୍କ ଦ୍ବାରା ତିଆରି ପାଟ ଶାଢ଼ି, ଡ୍ରେସ କପଡ଼ା ଓ ଗାମୁଛା ଆଦିର ସମ୍ଭାର ଦେଖିବାକୁ ମିଳିଛି ଏହି ମେଳାରେ। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ୍ ଏବଂ ମିସନ ଶକ୍ତି ବିଭାଗ ଜରିଆରେ ଏହି ଏସ୍‌ଏଚ୍‌ଜିଗୁଡ଼ିକ ମେଳାରେ ଅଂଶଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe