ଦକ୍ଷତା ବିକାଶ: ୬୨ ପ୍ରାର୍ଥୀଙ୍କୁ ମିଳିଲା ଚାକିରି

Advertisment
ଦକ୍ଷତା ବିକାଶ: ୬୨ ପ୍ରାର୍ଥୀଙ୍କୁ ମିଳିଲା ଚାକିରି

ରାଉରକେଲା:  ଜିଲ୍ଲାର ଶିକ୍ଷିତ ଯୁବକଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା ‘ସିପେଟ’ଠାରେ ମାଗଣାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨  ପ୍ରାର୍ଥୀଙ୍କୁ ବୁଧବାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରାର୍ଥୀମାନଙ୍କୁ ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଯୁବକ ଯୁବତୀମାନେ ରାଜ୍ୟ ବାହାରର ବିଭିନ୍ନ କମ୍ପାନିରୁ ନିଯୁକ୍ତିପତ୍ର ପାଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅଭିନନ୍ଦନ ଜଣାଇଛନ୍ତି। ରାଉରକେଲା ସିପେଟଠାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ପ୍ରାର୍ଥୀଙ୍କ ଭିତରୁ ୨୨ ଜଣ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ତାଲିମ ପାଇଁ ଯୋଗ ଦେଇଥିଲେ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଜିଲ୍ଲାର ୬ ଖଣି ପ୍ରଭାବିତ ବ୍ଲକର ୪୦ ପ୍ରାର୍ଥୀଙ୍କୁ ତାଲିମ ଲାଗି ସୁଯୋଗ ମିଳିଥିଲା।

ଏମାନଙ୍କୁ ତାଲିମ ବାବଦ ଖର୍ଚ୍ଚ ସହିତ ସେମାନଙ୍କ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଆବଶ୍ୟକ ତାଲିମ କିଟ୍ ଆଦି ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ରାଉରକେଲାସ୍ଥିତ ସିପେଟଠାରେ ୬ ମାସିଆ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ (ଏମଓପିପି) ସହିତ ମଲ୍ଟି ସ୍କିଲ ଟ୍ରେନିଙ୍ଗ ପ୍ରୋଗ୍ରାମ ଭଳି ପାଠ୍ୟକ୍ରମ ରହିଛି। ତା’ମଧ୍ୟରୁ ଏମଓପିପି ତାଲିମ କାର୍ଯ୍ୟକ୍ରମରେ ୪୦ ସିଟ୍ ଲାଗି ଡିଏମଏଫ, ସୁନ୍ଦରଗଡ଼ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ପାଠ୍ୟକ୍ରମରେ ପ୍ରାର୍ଥୀମାନଙ୍କୁ ରାଉରକେଲା କେନ୍ଦ୍ରଠାରେ ପ୍ରଥମ ୫ ମାସ ଥିଓରି ତାଲିମ ପରେ ସିପେଟର ଭୁବନେଶ୍ଵର କେନ୍ଦ୍ରଠାରେ ଅତିରିକ୍ତ ପ୍ରାକ୍ଟିକାଲ ତାଲିମ ଦିଆଯାଉଛି। ଏହି ଏମଓପିପି ତାଲିମ ଲାଗି ପ୍ରାର୍ଥୀମାନେ  ଦଶମ ପାସ କରିବା ସହ ସେମାନଙ୍କ ବୟସ ୧୮ ବର୍ଷ ହୋଇଥିବା ଦରକାର। ଏଥିପାଇଁ ଚୟନ ବେଳେ ୬ଟି ଖଣି ପ୍ରଭାବିତ ଅନୁସୂଚିତ ଜାତି ଓ ଜନଜାତି ସହ ଆର୍ଥିକ ଅନଗ୍ରସର ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ୨୦୨୨-୨୩ ବର୍ଷ ପାଇଁ ଡିଏମ୍‌ଏଫ୍‌, ସୁନ୍ଦରଗଡ଼ ପକ୍ଷରୁ ଆଉ ୪ଟି ପାଠ୍ୟକ୍ରମ ଯୋଡ଼ିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ତାଲିମ ପାଇଁ ୪୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ।  କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ସିପେଟ, ରାଉରକେଲାର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଡିଏମ୍‌ଏଫ୍‌ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe