୩୦ରୁ ଉପକୂଳରେ ହାଲ୍‌କା ବର୍ଷା ସମ୍ଭାବନା

Advertisment
ପୁଣି ଲଘୁଚାପ, ୩୦ରୁ ବର୍ଷା!

Photo by : clipartpanda.com

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା, ଆଜି ତାହା ଟ୍ରଫ୍‍ରେ ପରିଣତ ହୋଇଛି। ଏହି ଟ୍ରଫ୍‌ ବଙ୍ଗୋପ ସାଗରରେ ବିଲୀନ ହୋଇପାରେ। ତେବେ ଆଜି ମାଳୟ ଉପକୂଳରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି। ଏହା ବଙ୍ଗୋପ ସାଗରକୁ ଗତି କରିବ। ପରେ ଏହା ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ଆଗେଇବ। ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖରୁ ଉପକୂଳର କିଛି ଜିଲ୍ଲାରେ ହାଲ୍‌କା ବର୍ଷା ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସହିତ ଟ୍ରଫ୍‌ ମିଶିଯାଏ, ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବଡ଼ ଧରଣର ବର୍ଷା ଆଶଙ୍କା ଆପାତତଃ ନ ଥିବାରୁ ଚାଷୀମାନଙ୍କ ପାଇଁ ଏ ନେଇ ବିପଦର ଆଶଙ୍କା ନାହିଁ କହିଲେ ଚଳେ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଟ୍ରଫ(ଇଷ୍ଟର୍ଲି)ରେ ପରିଣତ ହୋଇଛି। ଆଜି ସୁଦୂର ମାଳୟ ଉପକୂଳରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି, ସେହି ଲଘୁଚାପ ବଙ୍ଗୋପ ସାଗରକୁ ମୁହାଁଇବ। ୩୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ଗତି କଲା ବେଳେ ଏହାର ପ୍ରଭାବରେ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତୀ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ଏହାର ରୂପରେଖ ୨/୩ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ଡ. ସାହୁ କହିଛନ୍ତି। ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଥଣ୍ଡା ବି ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି।

ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୫° ସେଲ୍‌ସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗିବାଡ଼ି, ସୁନ୍ଦରଗଡ଼ରେ ୮° ରହିଛି। କୋରାପୁଟରେ ୧୦.୫° ଥିବା ବେଳେ ହୀରାକୁଦରେ ୧୦.୬°, ଭବାନୀପାଟଣାରେ ୧୦.୮°, ଝାରସୁଗୁଡ଼ାରେ ୧୦.୮°, ସମ୍ବଲପୁରରେ ୧୧.୫°, ସୋନପୁରରେ ୧୧.୬°, ବଲାଙ୍ଗୀରରେ ୧୨.୨°, ତାଳଚେରରେ ୧୨.୩°, ବାଲେଶ୍ୱରରେ ୧୨.୫°, ଅନୁଗୁଳରେ ୧୨.୬°, ଟିଟିଲାଗଡ଼ରେ ୧୩°, କଟକରେ ୧୩.୪°, ଭୁବନେଶ୍ୱରରେ ୧୪.୭° ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe