ଆସନ୍ତା ସପ୍ତାହରେ ବି ନିଅଣ୍ଟିଆ ବର୍ଷା

Advertisment
ଆସନ୍ତା ସପ୍ତାହରେ ବି ନିଅଣ୍ଟିଆ ବର୍ଷା

MetWeather

ଭୁବନେଶ୍ବର: ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ଏଣୁ ସ୍ବାଭାବିକଠାରୁ କମ୍‌ ବର୍ଷା ହେଉଛି। କିଛି କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ଖରାଟିଆ ରହିଛି। ସେପ୍ଟେମ୍ବରରୁ ୧ରୁ ୭ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ କମ୍‌ ରହିଛି। ଏହି ସମୟ ଅବଧି ମଧ୍ୟରେ ୩୪.୮ ମିମି ବର୍ଷା ହୋଇଥିବା ବେଳେ ଏହି ସମୟରେ ସ୍ବାଭାବିକ ଭାବେ ୬୩.୮ ମିମି ବର୍ଷା ହୋଇଥାଏ। ତେବେ ଆସନ୍ତା ସପ୍ତାହରେ ମଧ୍ୟ ଏଭଳି ସ୍ଥିତି ଲାଗିରହିବ ଓ ବିଶେଷ ବର୍ଷା ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଏବେ ମୌସୁମୀ ଟ୍ରଫ୍‌ ଲାଇନ୍‌ ଉତ୍ତରମୁହାଁ ହୋଇଛି। ଏହା ଅନୁପଗଡ଼, ଭିୱାନି, ମଣିପୁରୀ, ଫୁରସତ୍‌ଗଞ୍ଜ, ଗୟା, ମାଲ୍‌ଦା ଦେଇ ଆସାମ ହୋଇ ନାଗାଲାଣ୍ଡ ଆଡ଼କୁ ଗତି କରୁଛି। ଏହା ଫଳରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ରହିବ ନାହିଁ। ଏଣୁ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଏହି ସମୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। କିନ୍ତୁ ବିଶେଷ ବର୍ଷା ନାହିଁ ଓ ଦିନର ତାପମାତ୍ରା ଅଧିକ ରହିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଧା ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ୯ ତାରିଖ ଦିନ ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଓ କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବ‌ର୍ଷାର ବି ସମ୍ଭାବନା ରହିଛି। ୧୦ ତାରିଖ ଦିନ ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ ଗଜପତିର କେ‌‌ତେକ ସ୍ଥାନରେ ଝଡ଼ ବର୍ଷା ହେବାର ସମ୍ଭବନା ରହିଛି। ଏଣୁ କେନ୍ଦ୍ର ପକ୍ଷରୁ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କଟକ ଓ ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଉପରେ ରହିବ ବୋଲି ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନ‌ରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଜିଲ୍ଲାରେ କୋଲାବିରାରେ ୮୬.୦, ଝାରସୁଗୁଡ଼ାରେ ୫୯.୦ ମିମି, ଦେଓଗାଁରେ ୫୫.୦ ମିମି, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ୫୫.୦ ମିମି, କୋରାପୁଟରେ ୪୯.୦ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe