ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହେଉଛନ୍ତି କ୍ଷୁଦ୍ର ଚାଷୀ

Advertisment

କୃଷିରେ ପଦ୍ଧତିଗତ ଦୃଷ୍ଟିକୋଣ ଏବଂ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କର୍ମଶାଳା

କୃଷିରେ ପଦ୍ଧତିଗତ ଦୃଷ୍ଟିକୋଣ ଏବଂ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କର୍ମଶାଳା

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହେଉଛନ୍ତି କ୍ଷୁଦ୍ର ଚାଷୀ

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଅଧିକ ପ୍ରଭାବିତ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷିନୀତି ସମୃଦ୍ଧି-୨୦୨୦ ପ୍ରଣୟନ କରାଯାଇଛି। ଏଥିରେ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟ, କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଏବଂ ଉନ୍ନତ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସମ୍ମିଳିତ ହୋଇ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ‘କୃଷିରେ ପଦ୍ଧତିଗତ ଦୃଷ୍ଟିକୋଣ ଏବଂ ସେଥିପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ’ ସମ୍ବନ୍ଧିତ କର୍ମଶାଳାରେ କମ ଖର୍ଚ୍ଚରେ ଅଧିକ କୃଷି ଉତ୍ପାଦନକୁ ଗୁରୁତ୍ବ ଦିଆଯାଇ ଥିଲା।

କୃଷି ଉତ୍ପାଦନ କମିସନର ତଥା ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ପରିବେଶକୁ ସୁସ୍ଥ ରଖି କୃଷିରେ ଅନେକ ନୀତିଗତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟରେ କୃଷି କ୍ଷେତ୍ରରେ ରୂପାନ୍ତରୀକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ। ଜଳବାୟୁ ସହନ କୃଷି, ବର୍ଷା ଆଧାରିତ ଫସଲ ବ୍ୟବସ୍ଥା, କୃଷି କ୍ଷେତ୍ରରେ ଜୈବବିବିଧତାର ସଂରକ୍ଷଣ ତଥା ମୃତ୍ତିକା, ଜଳ ଓ ଜଙ୍ଗଲ ସହିତ କୃଷିର ସଂପର୍କ ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଫାଉଣ୍ଡେସନ୍‌ ଫର ଇକୋଲୋଜିକାଲ ସିକ୍ୟୁରିଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଂଜୟ ଯୋଶୀ ରାଜ୍ୟରେ ଥିବା ସର୍ବସାଧାରଣ ସଂପତ୍ତି ଯଥା ଜଳଉତ୍ସ, ଜଙ୍ଗଲ, ଗୋଚର ଇତ୍ୟାଦି ଜମିଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ନିରନ୍ତର କୃଷି ପଦ୍ଧତିଗୁଡ଼ିକର ଅନୁସରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକର କୃଷି ସଂପ୍ରସାରଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିସନ ଓ ଓଡ଼ିଶା ମିଲେଟ ମିସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। କର୍ମଶାଳାରେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଚିତ୍ରା ଅରୁମୁଗମ୍‌, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ାଙ୍କ ସମେତ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶ ଡା. ୟେଦୁଲ୍ଲା ବିଜୟ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଏବଂ ବହୁ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe