ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ଆରୋଳର କ୍ଷୁଦ୍ର କୋଣାର୍କ ମନ୍ଦିର

Advertisment
ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ଆରୋଳର କ୍ଷୁଦ୍ର କୋଣାର୍କ ମନ୍ଦିର

ସାକ୍ଷୀଗୋପାଳ : ଚନ୍ଦନପୁର ଥାନା ଅନ୍ତର୍ଗତ ଆରୋଳ ଗ୍ରାମରେ କୋଣାର୍କ ମନ୍ଦିର ଢାଞ୍ଚାରେ ଏକ କ୍ଷୁଦ୍ର ମନ୍ଦିର ରହିଛି। କୋଣାର୍କ ମନ୍ଦିର ନିର୍ମାଣ ସାରି ଫେରୁଥିବା କାରିଗରମାନେ ତତ୍‌କାଳୀନ ଆରୋଳ ଜମିଦାର ପ୍ରଧାନ ସାଙ୍ଗିଆଧାରୀଙ୍କ ଅନୁରୋଧ କ୍ରମେ ଗ୍ରାମ ଶେଷ ମୁଣ୍ଡରେ କୋଣାର୍କ ମନ୍ଦିରର ଏକ ପ୍ରତିକୃତି ନିର୍ମାଣ କରିଥିବା ଜଣାଯାଏ। ତେବେ ପ୍ରଚାର ପ୍ରସାର ଅଭାବରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ମନ୍ଦିରର ରକ୍ଷଣାବେକ୍ଷଣ ମଧ୍ୟ ଉପଯୁକ୍ତ ଭାବେ ନ ହେବାରୁ ମନ୍ଦିରର ବିଭିନ୍ନ ଅଂଶ ଭାଙ୍ଗିବା ସହିତ କାରୁକାର୍ଯ୍ୟଗୁଡ଼ିକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ମନ୍ଦିର ଭଳି ଏହି କ୍ଷୁଦ୍ର କୋଣାର୍କ ମନ୍ଦିରର ମୁଖ୍ୟ ମନ୍ଦିରଟି ମଧ୍ୟ କୌଣସି କାରଣରୁ ଭାଙ୍ଗିଯାଇଛି। କେବଳ ମୁଖଶାଳାଟି ପଡ଼ି ରହିଛି। ମୁଖଶାଳା ଉପରେ ବିଭିନ୍ନ ଗଛ ଉଠିଯାଇଥିବାରୁ ତାହା ଅଧିକ ଅସୁରକ୍ଷିତ ହୋଇପଡ଼ିଛି।

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଥିଲେ। ନିକଟସ୍ଥ ଗ୍ରାମର କିଛି ଲୋକ ଏହି ମନ୍ଦିରରୁ ବଳଭଦ୍ର ଓ ସୁଭଦ୍ରାଙ୍କୁ ନେଇ ଯାଇଥିଲେ। ପରେ ଗ୍ରାମବାସୀମାନେ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ମୁଖ୍ୟ ମନ୍ଦିରଗୁଡ଼ିକ ମାଟି ତଳେ ପୋତି ହୋଇ ରହିଛି। ମାଟି ଖୋଳିଲେ ମାଟି ତଳୁ ପଥର ବାହାରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମନ୍ଦିରର ମୁଖଶାଳା ଉପରେ ଉଠିଯାଇଥିବା ଗଛଗୁଡ଼ିକୁ ୨୦୦୮ରେ ଗ୍ରାମବାସୀମାନେ ସଫା କରିବା ପରେ ମନ୍ଦିରଟି ଏବେ ପୂର୍ବାପେକ୍ଷା ଅଧିକ ଦୃଶ୍ୟମାନ ହେଉଛି। ତେବେ ରାଜ୍ୟ ସରକାର ମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe