କାମରେ ଆସୁନି ସ୍ମାର୍ଟସିଟିର ପାର୍କିଂ ସ୍ଥଳ: ରାସ୍ତା ଉପରେ ଛିଡା ହେଉଛି ଗାଡ଼ି, ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ନିର୍ମାଣ କରି କାମ ସାରିଦେଇଛନ୍ତି ଅଧିକାରୀ

କାମରେ ଆସୁନି ସ୍ମାର୍ଟସିଟିର ପାର୍କିଂ ସ୍ଥଳ: ରାସ୍ତା ଉପରେ ଛିଡା ହେଉଛି ଗାଡ଼ି, ବଢ଼ୁଛି ଟ୍ରାଫିକ୍‌ ସମସ୍ୟା

ରାଉରକେଲା : ସହର ବିକାଶ ପାଇଁ ସ୍ମାର୍ଟସିଟି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ରିଂ ରୋଡ ସ‌ୌନ୍ଦର୍ଯ୍ୟକରଣ ହେଉ ଅବା ରାସ୍ତା ସମ୍ପ୍ରସାରଣ ଆଦି ଅନେକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୦୨୩ ହକି ବିଶ୍ବ କପ୍‌ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ସ୍ମାର୍ଟସିଟିର ଟ୍ରାଫିକ ସମସ୍ୟାକୁ ପ୍ରଶାସନିକ ଅଧିକାରୀ ଯେମିତି ଭୁଲି ଯାଇଛନ୍ତି। କୋଟି କୋଟି ଟଙ୍କାରେ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି। କାମରେ ଆସୁନି। ପୁଣି କେଉଁଠି ପାର୍କିଂସ୍ଥଳରେ ଉଠାଦୋକାନୀଙ୍କୁ ଥାଇଥାନ କରାଯାଇଛି। ଅନ୍ୟ ସ୍ଥାନରେ ରହିଥିବା ପାର୍କିଂସ୍ଥଳଗୁଡ଼ିକ ମଧ୍ୟରୁ କିଛି ବିନା ଟେଣ୍ଡରରେ ଚାଲିଛି। ତାହା ପୁଣି ପୂର୍ବରୁ ନେଇଥିବା ଠିକା ସଂସ୍ଥା ଓ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଭିତିରି ସଲାସୁତୁରାରେ। ଏ ବାବଦରେ ଆର୍‌ଏମ୍‌ସି ପାଣ୍ଠିକୁ ଟଙ୍କା ରାଜସ୍ବ ଆସୁନାହିଁ। ପାର୍କିଂ ସ୍ଥଳ ଖାଲି ପଡିଛି। ରାସ୍ତା ଉପରେ ଶହ ଶହ ଗାଡ଼ି ଛିଡା ହେଉଛି। ପ୍ରମୁଖ ରାସ୍ତାଠାରୁ ଆରମ୍ଭ କରି ଗଳି କନ୍ଦିରେ ଦୈନନ୍ଦିନ ଏଭଳି ଟ୍ରାଫିକ ସମସ୍ୟା ଉପୁଜିଛି। ଯାତାୟତରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଛୋଟ ବଡ ଦୁର୍ଘଟଣା ଘଟୁଛି। ତଥାପି ବିଭାଗୀୟ ଅଧିକାରୀଙ୍କ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ।

publive-image

ରାଉରକେଲା ଓରାମପଡାସ୍ଥ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖରେ ସ୍ମାର୍ଟସିଟି ପକ୍ଷରୁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳ ନିର୍ମାଣ ହେଲା। ଆଲୋକୀକରଣ ସହ ପାନୀୟ ଜଳ ସୁବିଧା ମଧ୍ୟ କରାଗଲା। ଉଦିତନଗର ପ୍ରମୁଖ ମାର୍କେଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବାରୁ ପାର୍କିଂସ୍ଥଳ ସହରବାସୀଙ୍କ କୌଣସି କାମରେ ଆସିଲାନି। ବର୍ଷେରୁ ଅଧିକ ସମୟ ଧରି ସେମିତି ତାଲା ଝୁଲିଲା। ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସ୍ମାର୍ଟସିଟି ଓ ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା। ପାର୍କିଂ ସ୍ଥଳକୁ ଖୋଲି ଦିଆଗଲା। କିନ୍ତୁ ଦୁଇ, ତିନି ଓ ଚାରି ଚକିଆ ଗାଡି ବଦଳରେ ପାର୍କିଂ ସ୍ଥଳ ପାଲଟିଗଲା ଉଠାଦୋକାନୀଙ୍କ ଥଇଥାନ କେନ୍ଦ୍ର। ୩୦ରୁ ୪୦ ଉଠାଦୋକାନୀ ସେଠାରେ ଦୋକାନ ଖୋଲିଲେ। ଆଉ କିଛି ସେ ଜାଗାକୁ ଦୋକାନ କରିବା ନାଁରେ ମାଡ଼ି ବସିଛନ୍ତି। ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ଅଛି। ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

publive-image 360Hoardings

ଦ୍ବିତୀୟ ପାର୍କିଂସ୍ଥଳ ସିଭିଲଟାଉନସିପ ଶନି ମନ୍ଦିର ପାର୍ଶ୍ବରେ ନିର୍ମାଣ ହେଲା। ଏଠି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ଷରୁ ଅଧିକ ସମୟ ଧରି ସେମିତି ଖାଲି ପଡିଛି। ପାର୍କିଂସ୍ଥଳ ସମ୍ମୁଖ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଛିଡା ହେଉଛି। ଏଥିସହ ଶନି ମନ୍ଦିର ପାର୍ଶ୍ବ ସହରର ପ୍ରମୁଖ ରାସ୍ତାରେ ଟ୍ରାଫିକ ସମସ୍ୟା ଆହୁରି ଜଟିଳ। କାରଣ ରାସ୍ତା ପାର୍ଶ୍ବରେ ରହିଛି କିଛି ପୁରୁଣା ଦୁଇ ଚକିଆ ଗାଡ଼ି ବିକ୍ରି ଦୋକାନ। ପୁରୁଣା ଦୁଇ ଚକିଆ ଗାଡ଼ି ବିକୁଥିବା ଏହି ଦୋକାନ ମାଲିକମାନେ ଫୁଟ୍‌ପାଟ୍‌ ସହ ସହରର ପ୍ରମୁଖ ରାସ୍ତାକୁ ମାଡ଼ି ବସିଛନ୍ତି। ଯେଉଁଠି ସେମାନେ ପ୍ରତ୍ୟେକ ଦିନ ଗାଡ଼ି ରଖି ବିକୁଛନ୍ତି। ଏମାନଙ୍କ ବିରୋଧରେ ଆର୍‌ଏମ୍‌ସି ନା ଟ୍ରାଫିକ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ପାର୍କିଂ ସ୍ଥଳ ନିର୍ମାଣ କରି କାମ ସାରି ଦେଇଥିବା ଉଭୟ ସ୍ମାର୍ଟସିଟି ଓ ଆର୍‌ଏମ୍‌ସି କାର୍ଯ୍ୟଶୈଳୀଙ୍କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆସନ୍ତା ହକି ବିଶ୍ବକପ୍‌ ପୂର୍ବରୁ ସହରର ଟ୍ରାଫିକ ସମସ୍ୟାର ସୁଧାରକୁ ପ୍ରାଥମିକତା ସହରର ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe