ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା : ଯାଜପୁର ବନ୍ଦ, ଜିଲ୍ଲାରେ ଜୀବନଯାତ୍ରା ଠପ୍, ୧୨୫ ଗିରଫ, ଶତାଧିକ ଅଟକ

Advertisment
ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା : ଯାଜପୁର ବନ୍ଦ, ଜିଲ୍ଲାରେ ଜୀବନଯାତ୍ରା ଠପ୍, ୧୨୫ ଗିରଫ, ଶତାଧିକ ଅଟକ

ଯାଜପୁର : ଚକ ଗଡ଼ିଲାନି, ଦୋକାନ ଖୋଲିଲାନି। ବିଦ୍ୟାଳୟରୁ ବ୍ୟାଙ୍କ ପର୍ଯ୍ୟନ୍ତ, ପାନ ଦୋକାନରୁ ସପିଂ ମଲ୍‌ ପର୍ଯ୍ୟନ୍ତ ସବୁକିଛି ଠପ୍‌ ହୋଇଗଲା। ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ହେଉଥିବା ‌ଉଦ୍ୟମର ପ୍ରତିବାଦ ଏବଂ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଯାଜପୁର ବନ୍ଦ ପ‌ାଳନ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ହୋଇଛି।

ଆଜି ଶହ ଶହ ଆନ୍ଦୋଳନକାରୀ ଜିଲ୍ଲାବ୍ୟାପୀ ପିକେଟିଂ, ରାସ୍ତାରୋକ କରିଥିବା ‌େବଳେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ କରି ଦେଇଥିଲେ। ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ସମୟରେ ପୁଲିସ ୧୨୫ ବିଜେପି ନେତାଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା। ବିଭିନ୍ନ ସ୍ଥାନରେ ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲେ। ଆଜି ଜିଲ୍ଲାରେ ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଟ୍ରେନ୍‌ଗୁଡ଼ିକୁ ଅଟକାଇ ଦିଆଯାଇଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

publive-image

ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଗତ ୧୬ ତାରିଖରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ(ରଙ୍ଗଶାଳା)ରେ ରହସ୍ୟଜନକ ଭାବେ ମୃ୍ତ୍ୟୁ ହୋଇଥିଲା। ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ଏକାଧିକ ସନ୍ଦିଗ୍ଧ ନେତା ଓ ସିମେଣ୍ଟ କମ୍ପାନି ଅଧିକାରୀ ଉପସ୍ଥିତ ଥିବା ସତ୍ତ୍ବେ ପୁଲିସ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କଲାନାହିଁ। ଶେଷରେ ଏସ୍‌ପି ଚରଣ ସିଂ ମୀନା ସାମ୍ବାଦିକ ସମ୍ମିଳନୀରେ ମୃତ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରି ଯେଉଁ ବୟାନ ଦେଲେ, ତାକୁ ନେଇ ଜିଲ୍ଲା ଠାରୁ ଆରମ୍ଭ କରି ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି। ଯାହାର ପ୍ରତିବାଦ କରି ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ଆନ୍ଦୋଳନକୁ ଓହ୍ଲାଇ ଥିଲା।

ଜିଲ୍ଲାରେ ଆଜି ଅଚଳାବସ୍ଥା ଦେଖାଦେଇଥିବା ବେଳେ ସ୍ଥିତି ଉପରେ ନଜର ରଖିବା ପାଇଁ ଏସପିଙ୍କ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏସପି ଚରଣ ସିଂ ମୀନା, କାଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଦୀର୍ଘ ସମୟ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳରେ ମୁତୟନ ଅଧିକାରୀଙ୍କ ସହ ‌ଯୋଗସୂତ୍ର ରଖା କରିଥିଲେ। ଶାନ୍ତିଶୃଙ୍ଖଳା ସହିତ ବନ୍ଦ ପାଳନକୁ ନିୟନ୍ତ୍ରଣ କରିଥିଲେ। ଯାଜପୁର ଜିଲ୍ଲାର ୨ଟି ମୁଖ୍ୟ ସହର ଯାଜପୁର ଟାଉନ ଓ ବ୍ୟାସନଗର ସହିତ ୧୦ ବ୍ଲକରେ ବନ୍ଦକୁ ଅଭୂତପୂର୍ବ ସମର୍ଥନ ମିଳିଥିଲା। ଧର୍ମଶାଳା ଅଞ୍ଚଳରେ ବନ୍ଦର ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଏସପିଙ୍କ ‌‌‌ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।

ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ବିଜେପି ଜିଲ୍ଲା ସଭାପତି ‌େଗୗତମ ରାୟ, ବରୀର ବିଶ୍ବରଂଜନ ମଲିକ, ବଡ଼ଚଣାର ଅମର ନାୟକ, ଧର୍ମଶାଳାର ତୁଷାର ପରିଡ଼ା, ସାଧାରଣ ସଂପାଦକ ସର୍ବେଶ୍ବର ବେହୁରା, କୋରେଇର ବିଶ୍ବଜିତ ନାୟକ, ବିଂଝାରପୁରର ବବିତା ମଲିକ, ଅମୀୟ ମଲିକ, ସୁକିନ୍ଦାର ପ୍ରଦୀପ ବଳସାମନ୍ତ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe