କବାଡ଼ିଖାନାରେ ଶତାଧିକ ଚୋରା କଟାଗାଡ଼ି

Advertisment
କବାଡ଼ିଖାନାରେ ଶତାଧିକ ଚୋରା କଟାଗାଡ଼ି

ଜିପିଏସ୍‌ ଟ୍ରାକିଂରୁ ଧରାପଡ଼ିଲା ଚୋରା ଗାଡ଼ି ରାକେଟ୍‌
ତଦନ୍ତ ପାଇଁ ପହଞ୍ଚିଲେ ୩ ଜିଲ୍ଲାର ୬ ଥାନା ପୁଲିସ
କବାଡ଼ିଖାନା ମାଲିକ ସହ ୩ ଅଟକ

ଯାଜପୁରସଦର : ଯାଜପୁର ସହର ମଝିରେ ଶୀତଳେଶ୍ବରରେ ଚାଲିଥିଲା ବଡ଼ଧରଣର ଚୋରା କାରବାର। ଏଠାରେ ଥିବା ରାଧା କବାଡ଼ିଖାନାରେ ବେଧଡ଼କ ଭାବେ ବଡ଼ବଡ଼ ଗାଡ଼ିକୁ କିଛିକ୍ଷଣ ମଧ୍ୟରେ କାଟି ବିକ୍ରି କରି ଦିଆଯାଉଥିଲା। ଗାଡ଼ି ଚୋରି ପରେ ଗାଡ଼ିମାଲିକ ଥାନାରେ ଏତଲା ଦେଇ ଭାଗ୍ୟକୁ ନିନ୍ଦୁଥିଲେ। ହେଲେ ଜିପିଏସ୍‌ ଟ୍ରାକିଂରୁ ଆଜି ଏକ ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି।

publive-image

ସୂଚନା ଅନୁସାରେ ଗତକାଲି ରାତିରେ ଜଗତପୁର ଥାନା ଅଞ୍ଚଳର ପ୍ରତାପ ବାରିକଙ୍କ ଟାଟା ପିକ୍‌ଅପ୍‌ ଗାଡ଼ି ଚୋରି ହୋଇଯାଇଥିଲା। ଗାଡ଼ି ମାଲିକ ଘର ସମ୍ମୁଖରେ ଗାଡ଼ି ନଥିବା ଦେଖି ଗାଡିରେ ଲାଗିଥିବା ଜିପିଏସ୍‌କୁ ଟ୍ରାକ୍‌ କରିଥିଲେ। ଗାଡ଼ିଟି ଯାଜପୁର ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ଗାଡ଼ିମାଲିକ ବାଇକ୍‌ ଯୋଗେ ଗାଡିକୁ ପିଛା କରିଥିଲେ । ପରେ ଯାଜପୁରର ସହର ଶୀତଳେଶ୍ୱର ନିକଟରେ ଥିବା ରାଧା କବାଡ଼ିଖାନାରେ ତାଙ୍କ ଗାଡିକୁ ଠାବ କରିଥିଲେ। ଏ ନେଇ ସେ ଯାଜପୁର ଟାଉନ ଥାନାକୁ ଜଣାଇବା ପରେ ପୁଲିସ ଚଢ଼ଉ କରିଥିଲା । ସେହି ସମୟ ମଧ୍ୟରେ କବାଡିଖାନାରେ ଉକ୍ତ ଗାଡିକୁ କାଟିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଯାଜପୁର ଟାଉନ ପୁଲିସର ଚଢ଼ଉ ବେଳେ ଏଠାରେ ବହୁଗାଡ଼ିର ଯନ୍ତ୍ରାଂଶ ସବୁ ରହିଥିବାରୁ ଏ ନେଇ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଥିଲା। ଫଳରେ କଟକର ଜଗତପୁର, କେନ୍ଦ୍ରାପଡ଼ାର ନିକିଟିଆ, ପଟାମୁଣ୍ଡାଇ ଓ ଯାଜପୁର ଜିଲ୍ଲାର ବଡ଼ଚଣା, ପାଣିକୋଇଲି ଓ ଟାଉନ ପୁଲିସ ଗାଡ଼ିମାଲିକଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚି କଟା ଯାଇଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ। ତିନିଟି ଜିଲ୍ଲାର ୬ ଥାନାର ପୁଲିସ ଗାଡ଼ି ଚୋରିର ଶିକାର ମାଲିକମାନଙ୍କ ସହ ଯାଜପୁରରେ ପହଞ୍ଚି ଖାନତଲାସ କରିଛନ୍ତି। ଏହି କବାଡ଼ିଖାନାରେ ଶହଶହ ଗାଡ଼ି କାଟି ଡୋର୍‌, ଚେସିସ୍‌, ଇଞ୍ଜିନ୍‌, କାଚ ଆଦି ଅଲଗା ଅଲଗା କରି ରଖାଯାଇଥିବାରୁ କେଉଁଟା କାହାର ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଏହି ଘଟଣାରେ ପୁଲିସ କବାଡ଼ିଖାନା ମାଲିକ, ଜଣେ ଗାଡ଼ି ଚୋର ଏବଂ ଗାଡ଼ି କଟାଳିକୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe