ସ୍ନାନଯାତ୍ରା: ଭିଡ଼ ଅସମ୍ଭାଳ

Advertisment

ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି

ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି

ସ୍ନାନଯାତ୍ରା: ଭିଡ଼ ଅସମ୍ଭାଳ

ପୁରୀ: ରାତି ପାହିଲେ ସ୍ନାନଯାତ୍ରା। ସ୍ନାନବେଦିରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଭାବ ବିନୋଦିଆ। ଏଥିପାଇଁ ଆଜିଠୁ ପୁରୀ ସହରେ ସ୍ନାନଯାତ୍ରାର ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ବଡ଼ଦାଣ୍ଡ ବାରିକେଡ୍‌ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏତେ ଭିଡ଼ ରହିଛି ଯେ ଶ୍ରଦ୍ଧାଳୁଙ୍କ ଧାଡ଼ି ମରିଚିକୋଟ ଛକ ଅତିକ୍ରମ କରିଛି। ସେପଟେ ନିଜେ ଏସ୍‌ପି ଡା. କେ. ବିଶାଳ ସିଂହ ଆଜି ନିଜେ ଘଟଣାସ୍ଥଳରେ ରହି ଭିଡ଼ ନିୟନ୍ତ୍ରଣ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ନିଜେ ଧାଡ଼ିରେ ରହି ଭକ୍ତଙ୍କୁ ଛାଡ଼ିଛନ୍ତି।

ଭିଡ଼ ନିୟନ୍ତ୍ରଣ କଲେ ଏସ୍‌ପି
ମାର୍କେଟ୍‌ ଛକରୁ ଗାଡ଼ିମୋଟର କଟକଣା

publive-image

ଗତକାଲି ରାତିରେ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ରହିଥିଲା। ବାହୁଟକଣ୍ଟ ପରେ କୋଠ ସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବା ପାଇଁ ପ୍ରବେଶ କରିଥିଲେ। ଚାରମାଳ ବାନ୍ଧି ଆଜି ସକାଳେ କୋଠ ସୁଆଁସିଆ ବାହାରିବା ପରେ ସେନାପଟା ଲାଗି ନୀତି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ପହଣ୍ଡିରେ ଶ୍ରୀଜିଉଙ୍କ ଅଙ୍ଗକୁ ଅକ୍ଷତ ରଖିବା ପାଇଁ ସେନାପଟା ଲାଗି ନୀତି ଶେଷ କରିଛନ୍ତି। ଏଥିପାଇଁ ଗତକାଲି ରାତିରୁ ଆଜି ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହି ଉପଲକ୍ଷେ ହଜାର ହଜାର ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷାରେ ରହିଥିଲେ। ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବା ପରେ ବାରିକେଡ୍‌ରେ ହଠାତ୍‌ ଭିଡ଼ ଅସମ୍ଭାଳ ହୋଇ ପଡ଼ିଥିଲା। ବଡ଼ଦାଣ୍ଡକୁ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ମାଡ଼ି ଆସିଥିଲେ। ଦେଖୁଦେଖୁ ଶ୍ରୀମନ୍ଦିର ସିଂହଦ୍ବାରରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗି ଯାଇଥିଲା। ବାରିକେଡ୍‌ ବାହାରେ ବି ହଜାର ହଜାର ସଂଖ୍ୟାରେ ଭକ୍ତ ଭିଡ଼ ଲଗାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ମାର୍କେଟ୍‌ ଛକରୁ ଗାଡ଼ିମୋଟର ଯା’ଆସରେ କଟକଣା ଲଗାଇ ଦିଆଯାଇଛି। ମାର୍କେଟ୍‌ ଛକ, ମରିଚିକୋଟ ଛକରେ ଚେକିଂ ପୋଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe