ପରଲୋକରେ ସମାଜସେବୀ ପରେଶ ନାୟକ

Advertisment
ପରଲୋକରେ ସମାଜସେବୀ ପରେଶ ନାୟକ

ଭୁବନେଶ୍ବର : ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟରର ସଭାପତି ପରେଶ ନାୟକଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ଗତକାଲିଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତି କେୟାର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟା ସାଢ଼େ ୭ରେ ୬୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ବିଜୁ ପଟ୍ଟନାୟକ ଇଣ୍ଟରନାସନାଲ ବିମାନବନ୍ଦରର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, ଭାରତ ସରକାରଙ୍କ ସଂସ୍ଥା କାପାର୍ଟର ପୂର୍ବତନ ଅଧ୍ୟକ୍ଷ ଥିଲେ। ଭୁବନେଶ୍ୱର ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ମଧ୍ୟ ସମ୍ପୃକ୍ତ ଥିଲେ। ପ୍ରଥମେ ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଆର୍‌ଏସ୍‌ଏସ୍‌ର ପ୍ରଚାରକ ରହିବା ପରେ, ଭୁବନେଶ୍ୱରରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେବାରୁ ବିଜେପିରୁ ବହିଷ୍କୃତ ହୋଇଥିଲେ। ଅବିବାହିତ ଥିବା ପରେଶ କେନ୍ଦ୍ରାପଡ଼ା ଜିଲ୍ଲାର କଞ୍ଚିଲୋରେ ଜନ୍ମଗ୍ରହଣ କରିଥିଲେ।

ଓଡ଼ିଶାରେ ‘ଦାଣ୍ଡିଆ’ର ପ୍ରଚାରପ୍ରସାର ଦିଗରେ ଶ୍ରୀ ନାୟକଙ୍କ ଭୂମିକା ଅନନ୍ୟ। ଦୀର୍ଘ ୧୦ ବର୍ଷରୁ ଊର୍ଧ୍ବ ସମୟ ଧରି ସେ ରାଜଧାନୀରେ ନବରାତ୍ରିର ଷଷ୍ଠୀ ଦିନରୁ ଦାଣ୍ଡିଆ ଉତ୍ସବ ଆୟୋଜିତ କରି ଆସୁଥିଲେ। ଏଥିସହ ରାଜଧାନୀରେ ପ୍ରତିବର୍ଷ ‘ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ’ର ବିଶାଳ ଆୟୋଜନ କରି ହନୁମାନ ଭକ୍ତଙ୍କୁ ଏକତ୍ରିତ କରୁଥିଲେ। ୨୦୧୯ ମସିହା ଫନିରେ ପୁରୀ ଜିଲ୍ଲାରେ ଭାଙ୍ଗି ଯାଇଥିବା ନଡ଼ିଆ ଗଛକୁ ଦେଖି ସେ ଦୁଃଖିତ ହୋଇଥିଲେ ଏବଂ ପୁରୀ ଓ ଖୋର୍ଧା ଜିଲ୍ଲାରେ ୧ ଲକ୍ଷ ନଡ଼ିଆ ଗଛ ରୋପଣ ପାଇଁ ‘ଶ୍ରୀଫଳ ଅଭିଯାନ’ ଆରମ୍ଭ କରିଥିଲେ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କୁ ଯୋଡ଼ିବାର ପ୍ରୟାସ କରିବା ସହ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରି ସେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିଲେ। ଆଜି ତାଙ୍କ ମୃତ୍ୟୁରେ ଓଡ଼ିଶାର ବହୁ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe