ଆଦିବାସୀଙ୍କ ସେବାରେ ସମର୍ପିତ ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ଉପାଧି

Advertisment

‘ବୟସର ଅପରାହଣରେ ଏହି ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର’

‘ବୟସର ଅପରାହଣରେ ଏହି ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର’

ଆଦିବାସୀଙ୍କ ସେବାରେ ସମର୍ପିତ ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ଉପାଧି

ଗୁଣପୁର : ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ ପାଇବେ ‘ପଦ୍ମଶ୍ରୀ’ ଉପାଧି। ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶାନ୍ତି ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି। ଗୁଣପୁର ମାଟିରୁ ଦ୍ବିତୀୟ ବ୍ୟକ୍ତି ବିଶେଷ ଭାବେ ଶାନ୍ତି ଦେବୀ ଏହି ସମ୍ମାନଜନକ ଉପାଧି ଗ୍ରହଣ କରିବେ। ବୟସର ଅପରାହ୍ଣରେ ଏହି ସମ୍ମାନ ଆଦିବାସୀ ଓ ଅନାଥ ପିଲାଙ୍କ ପାଇଁ ଉପହାର ସଦୃଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ଗୁଣପୁର ମାଟିର ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ସ୍ବର୍ଗତ ରଘୁନାଥ ପାଣିଗ୍ରାହୀ ଏହି ସମ୍ମାନର ଅଧିକାର ହୋଇଥିଲେ।

publive-image

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ ଶାନ୍ତି ଦେବୀ। ସ୍ବାମୀ ସମାଜସେବୀ ଡ. ରତନ ଦାଶଙ୍କ ସହାୟତାରେ ଖମ୍ବେସି ଶଙ୍ଖଳପଦର ଗ୍ରାମରେ ଆଶ୍ରମ ସ୍ଥାପନା କରି ଆଦିବାସୀ ପିଲାଙ୍କ ଲାଳନ ପାଳନ ଆରମ୍ଭ କରିଥିଲେ। ୧୯୫୫-୫୬ ରେ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ସାକ୍ଷାତ ପରେ ଭୂଦାନ ସର୍ବୋଦୟ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ୧୯୬୧ରେ ଉତ୍କଳ ନବ ଜୀବନ ମଣ୍ଡଳର ସଂପାଦକ, ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟକାରୀ ସଦସ୍ୟ ଭାବେ ଶାନ୍ତି ଦେବୀ ମନୋନିତ ହୋଇଥିଲେ। ୧୯୬୪ ମସିହାରେ ଗୁଣପୁରରେ ସେବା ସମାଜ ନାମରେ ସଂଗଠନ ଗଢ଼ି ଶାନ୍ତି ଦେବୀ ଆଦିବାସୀ ବାଳିକାଙ୍କ ଲାଳନପାଳନ ସହ କନ୍ୟାମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି।

ଆଦିବାସୀଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ଶାନ୍ତି ଦେବୀଙ୍କ ନିଷ୍ଠାପର ଉଦ୍ୟମ, ସ୍ବାର୍ଥ ବିହୀନ ସେବା ପାଇଁ ପଦ୍ମଶ୍ରୀ ଉପାଧି ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନ ମିଳିଛି। ୧୯୯୪ ମସିହାରେ ଯମୁନାଲାଲ୍ ବଜାଜ୍ ପୁରସ୍କାର, ୧୯୯୫ ରେ ସାରଳା ସମ୍ମାନ, ୨୦୦୪ ରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନ, ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମା‌ଜସେବୀ ସମ୍ମାନ, ୨୦୦୯ ରେ ସର୍ବୋଦୟ ସମ୍ମାନ, ୨୦୧୨ ରେ ଟାଇମସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୀବନବ୍ୟାପି ସାଧନା ସମ୍ମାନ, ୨୦୧୪ ରେ ଓଡ଼ିଶା ମାନବଧିକାର ସମ୍ମାନ ଏବଂ ୨୦୧୯ ରେ ନୀଳିମାରାଣୀ ସମାଜସେବା ସମ୍ମାନର ଅଧିକାରୀ ହୋଇଛନ୍ତି ଶାନ୍ତି ଦେବୀ। ଦେଶର ଚତୁର୍ଥ ସର୍ବବୃହତ ବେସାମରିକ ପୁରସ୍କାରରେ ସମ୍ମାନିତ ହେବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଫୋନ୍ ଯୋଗେ ସୂଚନା ମିଳିବା ପରେ ଗୁଣପୁରରେ ଖୁସିର ଲହରି ଖେଳି ଯାଇଛି। ଉପଜିଲ୍ଲାପାଳ ସୋନାଲ ଜେନା ଫୋନ୍ ମାଧ୍ୟମରେ ଶାନ୍ତି ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୩୪ ଏପ୍ରିଲ୍ ୧୮ ତାରିଖରେ ବାଲେଶ୍ବର ଜିଲ୍ଲାର ଗୋପାଳଗାଁରେ ଜନ୍ମିତ ଶାନ୍ତି ଦେବୀ ସମାଜସେବୀ ରତନ ଦାଶଙ୍କୁ ମାତ୍ର ୧୭ ବର୍ଷ ବୟସରେ ବିବାହ କରିବା ପରେ ୧୯୫୧ ମସିହାରୁ ଅବିଭକ୍ତ କୋରାପୁଟର ଗୁଣପୁରରେ ରହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe