ସମାଜସେବୀ ବାବୁ ସାମନ୍ତରାୟଙ୍କ ପରଲୋକ

Advertisment
ସମାଜସେବୀ ବାବୁ ସାମନ୍ତରାୟଙ୍କ ପରଲୋକ

କଟକ : ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଡିଜିଏମ୍‌(ନ୍ୟୁଜ୍‌)ଦେବେନ୍ଦ୍ର ସାମନ୍ତରାୟଙ୍କ ବାପା ରବୀନ୍ଦ୍ରନାଥ ସାମନ୍ତରାୟ(୭୬)ଙ୍କର ବୁଧବାର ରାତି ୮ଟାରେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ମଙ୍ଗଳବାର ତାଙ୍କ ଗ୍ରାମ ନିଶ୍ଚିନ୍ତକୋଇଲି ବ୍ଲକ୍‌ ହରିରାଜପୁର ବଜାରରୁ ଘରକୁ ଫେରୁଥିବା ବେଳେ ସେ ମସ୍ତିଷ୍କାଘାତ(ବ୍ରେନ୍‌ ଷ୍ଟ୍ରୋକ୍‌)ରେ ଆକ୍ରାନ୍ତ ହୋଇ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ବର୍ଗତଃ ଶ୍ରୀ ସାମନ୍ତରାୟ ରାଜ୍ୟ ଉଠାଜଳସେଚନ ନିଗମ କର୍ମଚାରୀ ଭାବେ ଦୀର୍ଘବର୍ଷ ସଫଳତାର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ହରିରାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସାମନ୍ତରାୟ ସ୍ଥାନୀୟ ଅଞ୍ଚଳରେ ବାବୁ ସାମନ୍ତରାୟ ଭାବେ ପରିଚିତ ଥିଲେ। ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସଂପୃକ୍ତ ଥିବା ଶ୍ରୀ ସାମନ୍ତରାୟ ଜଣେ ପରୋପକାରୀ ଓ ମେଳାପି ବ୍ୟକ୍ତି ଭାବେ ଅଞ୍ଚଳରେ ଲୋକପ୍ରିୟ ଥିଲେ। ଶେଷ ପର୍ଯ୍ୟନ୍ତ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ। ଶେଷଶଯ୍ୟା ନିକଟରେ ପତ୍ନୀ କିରଣବାଳା, ଏକମାତ୍ର ପୁଅ ଦେବେନ୍ଦ୍ର, ପୁତ୍ରବଧୂ ସୁକାନ୍ତି, ଦୁଇଝିଅ ଅନ୍ନପୂର୍ଣ୍ଣା ଓ ମ‌ନୋରମା, ଜ୍ବାଇଁ ଧରଣୀଧର ଲେଙ୍କା, ମାୟାଧର ସ୍ବାଇଁଙ୍କ ସମେତ ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ଦେବେନ୍ଦ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ‌ରେ ଗଭୀର ଶୋକପ୍ରକାଶ ପାଇଛି। ତାଙ୍କ ବିୟୋଗରେ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ସଂପାଦକ (ଫିଚର୍‌) ‌ଡକ୍ଟର ଗୌରହରି ଦାସ, ସିଓଓ କମଳାକାନ୍ତ ମହାପାତ୍ର, ସିଜିଏମ୍‌ (ନ୍ୟୁଜ୍‌) ଅରବିନ୍ଦ ଦାସଙ୍କ ସମେତ ‘ସମ୍ବାଦ’ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe