ସାମାଜିକ ସୁରକ୍ଷା ଯୋଜନା କାମରେ ଆସୁନି: ୩ ବର୍ଷ ଦୌଡ଼ିବା ପରେ ମିଳିଲା ଦିବ୍ୟାଙ୍ଗ ପ୍ରମାଣପତ୍ର

ସାମାଜିକ ସୁରକ୍ଷା ଯୋଜନା କାମରେ ଆସୁନି: ୩ ବର୍ଷ ଦୌଡ଼ିବା ପରେ ମିଳିଲା ଦିବ୍ୟାଙ୍ଗ ପ୍ରମାଣପତ୍ର

ଝାରସୁଗୁଡ଼ା: ରାଜ୍ୟ ସରକାର ଏକ ସୁସ୍ଥ ପ୍ରଶାସନ ଯୋଗାଇଦେବା ପାଇଁ ଅନେକ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ହିତାଧିକାରୀଙ୍କୁ ସୁବିଧା ଓ ସରଳ ଉପାୟ ଯୋଗାଇ ଦେଉଛନ୍ତି। ମାତ୍ର କିଛି ଅସାଧୁ ଓ ଦାୟିତ୍ବହୀନ କର୍ମଚାରୀଙ୍କ ଯୋଗୁଁ  ରାଜ୍ୟ ସରକାରଙ୍କ ଲୋକହିତକର ଯୋଜନା ଜଣେ ଅସହାୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ କିଭଳି ବିଳମ୍ବ ହେଉଛି ତା’ର ଏକ ଉଦାହରଣ ହେଉଛନ୍ତି ଆଜନ୍ମ ଦୃଷ୍ଟିହୀନ ବୁଲୁ ସେଠ(୨୩)। ବୁଲୁ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କାତିକେଲା ପଞ୍ଚାୟତର ଦବ୍‌କା ଗ୍ରାମର ମୁନୁ ସେଠ୍‌ ଓ ସୁଶୀଳା ସେଠ୍‌ଙ୍କ ଏକମାତ୍ର ପୁତ୍ର। ଜନ୍ମରୁ  ଦୃଷ୍ଟି ଶକ୍ତି ହରାଇଥିବାରୁ ସେ ଦୁନିଆର ଆଲୋକ ଦେଖି ପାରି ନାହାନ୍ତି। ବାପା ମୁନୁ ଜଣେ ଦିନ ମଜୁରିଆ। ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ଥିଲା।

ଅଭାବ ଓ ଅନଟନ ଭିତରେ ସେବାଯତ୍ନ କରି ଦିବ୍ୟାଙ୍ଗ ପୁତ୍ରକୁ ବଡ଼ କରିଥିଲେ।  ସଚେତନତାର ଅଭାବ ଯୋଗୁଁ  ଦିବ୍ୟାଙ୍ଗ ପୁଅ ପାଇଁ ଥିବା ସରାକରୀ ସହାୟତା ସଂପର୍କରେ ସେତିକି ଅବଗତ ମଧ୍ୟ ନଥିଲେ। ତେବେ ଦିବ୍ୟାଙ୍ଗ ବୁଲୁଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ତାଙ୍କ ମଉସା ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମର ମୁଧୁସୂଦନ ବାଗ(୩୫)। ମଧୁସୂଦନ ମଧ୍ୟ ଜଣେ ଦିବ୍ୟାଙ୍ଗ। ପିଲାଟି ଦିନରୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ତଥାପି ସେ ଯୁକ୍ତ ଦୁଇ ପାସ୍‌ କରି ୨୦୦୩ ମସିହାରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଜାମପାଲି ପ୍ରାଥମିକ ସ୍କୁଲରେ ଶିକ୍ଷା ସହାୟକ ଭାବରେ ନିଯୁକ୍ତ ହୋଇ ପିଲାଙ୍କୁ ପାଠ ପଢ଼ାଇଥିଲେ। ମାତ୍ର ଅଢ଼େଇ ବର୍ଷ ପରେ ରାଜ୍ୟ ସରକାର ତାଙ୍କ ନିଯୁକ୍ତିକୁ  ଅବୈଧ ଦର୍ଶାଇ ଛଟେଇ କରି ଦେଇଥିଲା।

ମଧୁସୂଦନ ଚାକିରି ହରାଇ ଏବ‌େ ଏକ ଟ୍ରାଇସାଇକଲରେ ଫେରିବାଲା ଭାବରେ କିଛି ଖେଳନା ସାମଗ୍ରୀ ବିକ୍ରୟ କରୁଛନ୍ତି। ପୁତୁରା ବୁଲୁକୁ ସହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ାଇ ଥିଲେ। ସରକାରୀ ସହାୟତା ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ର ଜରୁରି ହୋଇଥିବାରୁ  ସେ ବହୁକଷ୍ଟରେ ଟ୍ରାଇସାଇକେଲରେ ଦୃଷ୍ଟିହୀନ ପୁତୁରା ବୁଲୁକୁ ନେଇ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ୨୦୧୮ ମସିହାରେ ଅବେଦନ କରିଥିଲେ। ୨୦୧୮ ରୁ ୨୦୨୧ ମସିହ ପର୍ଯ୍ୟନ୍ତ ସେ ବାରମ୍ବାର ଝାରସୁଗୁଡ଼ା ‌ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ିବା ପରେ ‌ସୋମବାର ପ୍ରମାଣପତ୍ର ପାଇବାରେ ସଫଳ ହୋଇଛନ୍ତି। ଜଣେ ଦିବ୍ୟାଙ୍ଗକୁ ପ୍ରମାଣପତ୍ର ଦେବା ପାଇଁ  ୩ ବର୍ଷ କେମିତି ଲାଗିଲା ? ଏହି ୩ ବର୍ଷ ମଧ୍ୟରେ ଅନେକ ଥର ଦିବ୍ୟାଙ୍ଗଙ୍କ ପାଇଁ  ସର୍ବେକ୍ଷେଣ ତଥା ଅନେକ କାର୍ଯ୍ୟକ୍ରମ ହୋଇଛି।

କାତିକେଲା ସରପଞ୍ଚ କିମ୍ବା ସେହି ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କର୍ମୀ କିଭଳି ୨୩ ବର୍ଷ ପର୍ଯ୍ୟନ୍ତ ସେହି ଗ୍ରାମର ଜଣେ ଦିବ୍ୟାଙ୍ଗ ସଂପର୍କରେ ରିପୋର୍ଟ କଲେ ନାହିଁ ତାହା ମଧ୍ୟ ତଦନ୍ତ ପରିସର ହେବା ଉଚିତ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‌ଯେଉଁ କର୍ମଚାରୀଙ୍କ ଅବହେଳା ଯୋଗୁଁ  ଏହି ଦିବ୍ୟାଙ୍ଗ ଏକ ପ୍ରମାଣପତ୍ର ପାଇବା ପାଇଁ ୩ ବର୍ଷ ଲାଗିଲା ତାଙ୍କ ପ୍ରତି ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ  ଜଣେ ଦିବ୍ୟାଙ୍ଗ ବର୍ଷ ବର୍ଷ ଧରି ସରକାରୀ  ସହାୟତା ପାଇବାରୁ ବଞ୍ଚିତ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe