ମାଓ ପ୍ରବଣ ଅଞ୍ଚଳରେ ମାନବିକତା ଦେଖାଇଲେ ଯବାନ, ଅସୁସ୍ଥ ବୃଦ୍ଧାଙ୍କୁ ଖଟରେ ୩କିମି ବୋହି ମେଡିକାଲରେ ପହଞ୍ଚାଇଲେ

ମାଓ ପ୍ରବଣ ଅଞ୍ଚଳରେ ମାନବିକତା ଦେଖାଇଲେ ଯବାନ, ଅସୁସ୍ଥ ବୃଦ୍ଧାଙ୍କୁ ଖଟରେ ୩କିମି ବୋହି ମେଡିକାଲରେ ପହଞ୍ଚାଇଲେ

ଫୁଲବାଣୀ: ଜଙ୍ଗଲରେ କମ୍ବିଂ ଅପେରସନ କରୁଥିବା ଏସ୍‌ଓଜି ଯମାନମାନେ ମାନବିକତା ଦେଖାଇଛନ୍ତି। ଜଣେ ଅସୁସ୍ଥ ବୃଦ୍ଧାଙ୍କୁ ଜଙ୍ଗଲ ପାହାଡ଼ ଘାଟି ରାସ୍ତାରେ ପ୍ରାୟ ୩ କିଲୋମିଟର ଖଟରେ ବୋହି ମେଡିକାଲରେ ପହଞ୍ଚାଇଛନ୍ତି। ଏଭଳି ମାନବିକତା ଦେଖାଇଛନ୍ତି କନ୍ଧମାଳ ଜିଲ୍ଲାର ଏସ୍‌ଓଜି ଯବାନମାନେ।

ସୂଚନା ଅନୁସାରେ ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାରାହାଲା-ଲବରୀକେତା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପେରସନ କରୁଥିବା ବେଳେ ଏସ୍‌ଓଜି ଯବାନମାନେ ଲବରୀକେତା ଗ୍ରାମରେ ଯାଇ ପହଞ୍ଚିଥିଲେ ଏବଂ ସେହି ଗ୍ରାମର କପୁରୀ ମାହାର ନାମକ ଜଣେ ବୃଦ୍ଧା ମହିଳା ଗୁରୁତର ଭାବେ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେମାନେ ତାଙ୍କୁ ଏକ ଖଟରେ ଶୋଆଇ ଜଙ୍ଗଲ ଘାଟି ରାସ୍ତାରେ ପ୍ରାୟ ୩ କିଲୋମିଟର ବୋହି ବାରାହାଲା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ ଏବଂ ସେଠାରୁ ଏକ ବୋଲେରୋ ଗାଡ଼ିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ତେବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଫୁଲବାଣୀରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। କିନ୍ତୁ ବୃଦ୍ଧାଙ୍କ ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସ ପକ୍ଷରୁ ଚିକିତ୍ସା ସହାୟତା ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ଯଦି ତାଙ୍କର ଚିକିତ୍ସା ପାଇଁ ଅଧିକ ଆର୍ଥିକ ସହାୟତା ଆବଶ୍ୟକ ହୁଏ ତେବେ ତାହା ମଧ୍ୟ ଆଗାମୀ ଦିନରେ ପ୍ରଦାନ କରାଯିବ ବୋଲି ତାଙ୍କ ପରିବାର ଲୋକଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ବୋଲି ବୃଦ୍ଧା ମହିଳାଙ୍କ ପରିବାର ଲୋକ କହିଛନ୍ତି। ତେବେ ଏହା ଦ୍ୱାରା ଏସ୍‌ଓଜି ଯବାନମାନେ ମାଓ ପ୍ରବଣ ଅଞ୍ଚଳରେ ଲୋକଙ୍କ ନିକଟତର ହେବା ସହିତ ସେମାନଙ୍କ ଆସ୍ଥାଭାଜନ ହୋଇପାରିବେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe