ସରିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

Advertisment
ସରିଲା ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ଭୁବନେଶ୍ବର : ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଶେଷ ହୋଇଛି । ସକାଳ ୯ଟା ୪୬ ମିନିଟରେ ଏହା ଓଡ଼ିଶାରେ ସର୍ବାଧିକ ଅଂଶରେ ଦେଖାଯାଇଛି ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେଇଥିଲା । ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହୋଇଥିଲା। ମାତ୍ର ଏହି ବିରଳ ଦୃଶ୍ୟକୁ ଆକାଶ ମେଘାଚ୍ଛନ୍ନ ଥିବାରୁ ଦର୍ଶକ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

ତେଣେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କ ନୀତିକାନ୍ତି ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ନୀତିରେ ପୂଜା କରାଯାଇଛି । ଗ୍ରହଣ ସ୍ନାନ ପରେ ତିନି ଠାକୁରଙ୍କ ପାଖରେ ଲାଗି ହୋଇଛି ଖଇକୋରା ଭୋଗ । ଗତକାଲି ରାତି ୮ଟା ୨୦ ସୁଦ୍ଧା ସଂଧ୍ୟାଧୂପ, ମଇଲମ ଓ ତଡ଼ପଲାଗି ନୀତି ଶେଷ ‌ପରେ ବାକି ସମସ୍ତ ନୀତି ବନ୍ଦ ରହିଥିଲା। ନୀତି ବନ୍ଦ ରହିଥିବାରୁ ବୁଧବାର ରାତିରେ ପହୁଡ଼ ନୀତି ବି ଅନୁଷ୍ଠିତ ହୋଇପାରି ନଥିଲା, ଯେଉଁଥିପାଇଁ ରାତିସାରା ଶ୍ରୀମନ୍ଦିର ଖୋଲାରହିଥିଲା।

publive-image

ଅନ୍ୟପକ୍ଷରେ ଏହି ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ଆଗ୍ରହରେ ଆସିଥିବା ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ନିରାଶ ହୋଇଥିବା ଜଣାଯାଇଛି। ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଉପଭୋଗରୁ ବଞ୍ଚିତ ହୋଇଛନ୍ତି ସେମାନେ। ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲ୍ଲାସ୍ଥିତ ଏପିଜେ ଅବ୍ଦୁଲ କାଲାମ୍ ପ୍ଲାନେଟୋରିୟମରେ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣ ମେଘାଚ୍ଛନ୍ନ ଆକାଶ ଯୋଗୁଁ କ୍ଷୟପ୍ରାପ୍ତ ସୂର୍ଯ୍ୟଙ୍କୁ ଆଦୌ ଦେଖିପାରିନାହାନ୍ତି। ବୁର୍ଲାରେ ଝିପଝିପ ବର୍ଷା ହେଉଥିବା ବେଳେ ଭୁବନେଶ୍ବରରେ ପାଗ ମେଘୁଆ ରହିଛି। ବହୁ ଛାତ୍ରଛାତ୍ରୀ ସୌରଚଷମା କିଣିଥିଲେ ହେଁ ତାର ଉପଯୋଗ କରିପାରି ନାହାନ୍ତି। ଉଲ୍ଲେଖଯୋଗ୍ୟ କି ପ୍ଲାନେଟୋରିୟମ୍ ପକ୍ଷରୁ ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ, ପିନ୍ ହୋଲ୍ ପ୍ରକ୍ଷେପଣ ଓ ଦର୍ପଣର ପ୍ରତିଫଳନ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ବ୍ୟବସ୍ଥା ହୋଇଥିଲା। ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାଗ ମେଘୁଆ ରହିଥିବାରୁ ସମାନ ପରିସ୍ଥିତି ଉପୁଜିଛି। ସମ୍ବଲପୁର, ବାଲେଶ୍ବର ଓ ପୁରୀରେ ସୂର୍ଯ୍ୟୋପରାଗ ସ୍ପଷ୍ଟ ଦେଖାଯାଉ ନ ଥିବା ଖବର ହସ୍ତଗତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe