ହାତୀଙ୍କ ବାଟ ଓଗାଳୁଛି ସୋଲାର ଫେନ୍‌ସିଂ

Advertisment
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

୯୦ କି.ମି ହୋଇଛି, ଆହୁରି ହେବ ୫୫ କି.ମି.
ଅନ୍ଧାର ଗାଁରେ ହେବ ସୌରଚାଳିତ ବିଜୁଳି ବ୍ୟବସ୍ଥା

ରାଉରକେଲା : ସହର ମୁହାଁ ହେଉଥିବା ବଣୁଆ ହାତୀଙ୍କ ବାଟ ଓଗାଳିବାକୁ ଅଣ୍ଟା ଭିଡିଛି ରାଉରକେଲା ବନ ବିଭାଗ। ଏଥିପାଇଁ ଅଧିକାଂଶ ରେଞ୍ଜରେ କରାଯାଇଛି ସୋଲାର ଫେନ୍‌ସିଂ (ସୌର ଚାଳିତ ତାରବାଡ) ବ୍ୟବସ୍ଥା। ସୋଲାର ଫେନ୍‌ସିଂ ନ‌ୁହେଁ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି। କୁଆରମୁଣ୍ଡା ରେଞ୍ଜ ଅନ୍ତର୍ଗତ କମାରପାହାଡ, ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲରେ ବର୍ଷ ତମାମ ହାତୀ ରହୁଥିବାରୁ ଏହାର ଚତୁଃପାର୍ଶ୍ବ ବସ୍ତିଗୁଡ଼ିକୁ ବିଶେଷ ଗୁରୁତ୍ବ ଦିଆଯାଇଛି। କୋଏଲ ନଦୀ ପାର୍ଶ୍ବ ବସ୍ତି ସମେତ ସଂରକ୍ଷିତ ପାହାଡ ଚାରିପାଖରେ ସୋଲାର ଫେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଫଳରେ ସହର ଭିତରକୁ ପଶି ଆସୁଥିବା ହାତୀଙ୍କ ଉପଦ୍ରବକୁ ରୋକାଯାଇ ପାରିଛି। ବିଗତ କିଛି ବର୍ଷ ହେବ ରାଉରକେଲା ସହର ଆଖପାଖରେ ଉତ୍ପାତ ମଚାଉଥିବା ବଣୁଆ ହାତୀଙ୍କ ଉପଦ୍ରବ ହ୍ରାସ ପାଇଛି। ଗତ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ୫ ବର୍ଷ ମଧ୍ୟରେ ୯୦ କିଲୋମିଟର ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ କାମ କରାଯାଇଛି। ଏ ବାବଦରେ ମୋଟ ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା କରାଯାଇଛି। ସୋଲାର ଫେନ୍‌ସିଂ ରକ୍ଷଣାବେକ୍ଷଣ ସ୍ଥାନୀୟ ବସ୍ତିର କିଛି ଯୁବ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ବନ ବିଭାଗ ପକ୍ଷରୁ ପାରିଶ୍ରମିକ ମଧ୍ୟ ଦିଆଯାଉଛି। ବନ ବିଭାଗର ଏଭଳି ପଦକ୍ଷେପକୁ ସ୍ଥାନୀୟ ବସ୍ତିବାସିନ୍ଦା ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ହାତୀ ଉପଦ୍ରୁତ ଅଞ୍ଚଳ ଗୁଡ଼ିକ ଅନୁରୂପ ବ୍ୟବସ୍ଥା କରିବାକୁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।

publive-image

ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷରେ ଆହୁରି ୫୫ କି.ମି. ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ କରିବାକୁ ରାଉରକେଲା ବନ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥି ମଧ୍ୟରେ ରହିଛି କୁରାଢ଼ି ସଂରକ୍ଷିତ ଜଙ୍ଗଲ, ଏସ୍‌. ଚମ୍ପାଝରଣ ସଂରକ୍ଷିତ ଜଙ୍ଗଲ, ଝାରବେଡା ସଂରକ୍ଷିତ ଜଙ୍ଗଲ, ରଙ୍ଗାମାଟି, ବୈଶାମୁଣ୍ଡା, ରୁତୁକପେଡି, ରିଉଁ, ମୁର୍ଡା, ଉପରବାହାଲ ରୁ ମୁଣ୍ଡାଜୋର୍‌। ସେହିପରି କରଣସୁଆଁରୁ ମନ୍‌କୋ, ମୁଣ୍ଡାଜୋରରୁ ବୁଡି କୁଦର,ଗୁଞ୍ଜୁଝରର ମୁଣ୍ଡାଜୋର, ବୁଡିକୁଦରରୁ ବେତାଉରା। ସରକାରଙ୍କ ପକ୍ଷରୁ ପାଣ୍ଠି ମଞ୍ଜୁର ହେବା ମାତ୍ରେ କାମ ଆରମ୍ଭ ହୋଇଯିବ ବୋଲି ରାଉରକେଲା ବନଖଣ୍ଡ ପକ୍ଷରୁ କୁହାଯାଇଛି। ରାଉରକେଲା ବନଖଣ୍ଡ ପ୪ରୁ ପ୍ରଥମ ପର୍ଯ୍ୟାୟରେ ଗତ ୨୦୧୫-୧୬ ବର୍ଷରେ ୨୨ କି.ମି. ସୋଲାର ଫେନ୍‌ସିଂ କରାଯାଇଥିଲା। ୨୨ କି.ମି. ମଧ୍ୟରେ ରହିଛି ରୁତୁକପେଡି, ପ୍ରଧାନପାଲୀରୁ ତୁମକେଲା, ସୁନା ପର୍ବତ। ୨୦୧୬-୧୭ ଦ୍ବିତୀୟ ପର୍ଯ୍ୟାୟରେ ୨୩.୮ କି.ମି. ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ ବ୍ୟବସ୍ଥା କରାଯାଇଥିଲା। ରେହ୍ଲାପୋଷରୁ ବାଗଡେଗା, ରୁତୁକପେଡି, ରାଜଗାଙ୍ଗପୁର ହାତୀ ଉପଦ୍ରୁତ ଅଞ୍ଚଳ। ୨୦୧୭-୧୮ ତୃତୀୟ ପର୍ଯ୍ୟାୟରେ ୨୩ କି.ମି.ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ ବ୍ୟବସ୍ଥା କରାଯାଇଥିଲା। ୨୩ କି.ମି. ମଧ୍ୟରେ ରହିଛି ଲହଣ୍ଡାରୁ କାରି ଛାପଲ, ବେରୁଆ ରୁ ଲାଙ୍କୋଇ, ହମିରପୁରରୁ ‌ଜବା ପାନପୋଷ ଏବଂ ଜବା ପାନପୋଷରୁ ଆର୍‌ଏସ୍‌ କଲୋନି। ଜମରଡିହି, ବନ୍ତାରୁ ଲୋଲେଇଖମଣ, ଧୁମଗୁଡା ସଂରକ୍ଷିତ ଜଙ୍ଗଲ ଏବଂ ବାଗଡେଗା। ୨୦୧୮-୧୯ ଚତୁର୍ଥ ପର୍ଯ୍ୟା୍ୟରେ ୧୬ କି.ମି ସୋଲାର ଫେନ୍‌ସିଂ କରାଯାଇଥିଲା। ଧୁମଗୁଡା ସଂରକ୍ଷିତ ଜଙ୍ଗଲ ପାର୍ଶ୍ବରେ ୧ କି.ମି., ବାଗଡେଗାରେ ୨ କି.ମି., ଟାଙ୍ଗରଟୋଲିର ୩ କି.ମି., ବାଖୋରଟୋଲା ପାର୍ଶ୍ବରେ ୨ କି.ମି. ଡୁବୁକୁରୁ ବାମରା ସୀମା ଏବଂ ପୋଡାମରାରୁ ହାତୀଧରସାରେ ୨.୫ କି.ମି ‌ଲେଖାଏଁ ସୋଲାର ଫେନ୍‌ସିଂ କରାଯାଇଥିଲା।

ଅନୁରୂପ ଭାବେ ସୋନାଖାନ୍‌ରୁ ଜମ୍ବୁଆ ପ୍ରାୟ ୩ କି.ମି. ପର୍ଯ୍ୟନ୍ତ ମଧ୍ୟ ସୋଲାର ଫେନ୍‌ସିଂ କରାଯାଇଛି। ୨୦୧୯-୨୦ର ପଞ୍ଚମ ପର୍ଯ୍ୟାୟରେ ପ୍ରଧାନପାଲୀରେ ୩ କି.ମି., ରୁତୁକପେଡିରେ ୩ କି.ମି. ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଏଥିସହ ରୁତୁକପେଡି ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଶୋଷ ମେଣ୍ଟାଇବାକୁ ବୃ୍ହତ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ବନ ବିଭାଗ ଅଧିକାରୀ କହିଛନ୍ତି ସୋଲାର ଫେନ୍‌ସିଂ ବ୍ୟବସ୍ଥା ଯୋଗୁଁ ସହର ଉପକଣ୍ଠ ଏବଂ ଉପାନ୍ତ ବ୍ଲକର ଅନେକ ବସ୍ତିକୁ ହାତୀ ଆକ୍ରମଣରୁ ରୋକାଯାଇ ପାରିଛି। ସୋଲାର ଫେନ୍‌ସିଂ ବ୍ୟବସ୍ଥା ନ ହେବା ପୂର୍ବରୁ ଜଙ୍ଗଲ ନିକଟ ଅଧିକାଂଶ ବସ୍ତିରେ ବଣୁଆ ହାତୀଙ୍କ ଉପଦ୍ରବ ଜାରି ରହିଥିଲେ। ହାତୀମାନେ ଏକର ଏକର ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଉଥିଲେ। କେବଳ ଏତିକି ନୁହେଁ ହାତୀ-ମଣିଷ ଲଢ଼େଇ ଯୋଗୁଁ କେତ‌େବେଳେ ହାତୀ ତ ପୁଣି କେତେବେଳେ ମଣିଷର ଜୀବନ ଯାଉଥିଲା। ସରକାରଙ୍କ ଏଭଳି ବ୍ୟବସ୍ଥା ଦ୍ବାରା କେବଳ ହାତୀଙ୍କ ଚଲାପଥକୁ ରୋକାଯାଇ ପାରିଛି ତା ନୁହେଁ ବରଂ ରାତି ରାତିରେ ଉଜାଗର ରହୁଥିବା ବସ୍ତିବାସିନ୍ଦା ଆଶ୍ବସ୍ତି ଲାଭ କରିଛନ୍ତି। ସେମିତି ବିଜୁଳି ଯାଇ ନଥିବା ଗାଁଗୁଡ଼ିକୁ ସୌର ଚାଳିତ ଆଲୋକ ବ୍ୟବସ୍ଥା କରାଯିବାକୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଜିଲ୍ଲା ଖଣିଜ ଫାଣ୍ଠିରୁ ଅର୍ଥ ମଞ୍ଜୁରି ହେବା ପରେ ଅନ୍ଧାରରେ ରହୁଥିବା ଗାଁଗୁଡିକୁ ସୌର ଚାଳିତ ବିଜୁଳି ସଂଯୋଗ କରାଯିବ। ଫଳରେ ବଢୁଥିବା ହାତୀଙ୍କ ଉତ୍ପାତ କମିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe