ପାଞ୍ଚଟି ଗାଁରେ ସୋଲାର୍ ଜଳ ପ୍ରକଳ୍ପ ପ୍ରହସନ: କୋଟି କୋଟି ଶ୍ରାଦ୍ଧ, ସବୁଠି ଡହଳବିକଳ ପରିସ୍ଥିତି

Advertisment
ପାଞ୍ଚଟି ଗାଁରେ ସୋଲାର୍ ଜଳ ପ୍ରକଳ୍ପ ପ୍ରହସନ: କୋଟି କୋଟି ଶ୍ରାଦ୍ଧ, ସବୁଠି ଡହଳବିକଳ ପରିସ୍ଥିତି

climate samurai

ବୁଗୁଡ଼ା: ଦୁର୍ଗମ ଇଲାକା ଓ ଗ୍ରାମାଞ୍ଚଳର ଲୋକଙ୍କୁ ହାତପା’ନ୍ତାରେ ଏବଂ ବିନା ବାଧାରେ ପିଇବା ପାଣି ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୋଲାର୍ ଜଳପ୍ରକଳ୍ପ ନିର୍ମାଣ କରିଛନ୍ତି। ହେଲେ ଏହି ପ୍ରକଳ୍ପ ତୃଣମୂଳସ୍ତରରେ କିଭଳି ଭାବେ କାର୍ଯ୍ୟକାରୀ ହେଉଛି, ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ର ପାଞ୍ଚଟି ଗାଁରେ। ଏହି ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳରେ ସୋଲାର୍ ପ୍ରକଳ୍ପ ସ୍ଥାପନ ପାଇଁ ବହୁ କୋଟି ଟଙ୍କା ବ୍ୟୟ ହୋଇଥିଲା। ତେବେ କେଉଁଠି ପ୍ରକଳ୍ପ ଆରମ୍ଭରୁ ଅଚଳ ତ, ଆଉ କେଉଁଠି କିଛିଦିନ ଚାଲିବା ପରେ ବନ୍ଦ ହୋଇ ପଡ଼ି ରହିଛି। ଫଳରେ ଯଥା ପୂର୍ବଂ ତଥା ପରଂ ସ୍ଥିତି। ଗ୍ରାମବାସୀ ନଳକୂପରୁ ପାଣି ନେବାକୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରୁଛନ୍ତି। ଏଥିପାଇଁ ବର୍ତ୍ତମାନ ଗ୍ରୀଷ୍ମରେ ଅର୍ଦ୍ଧାଧିକ ଗାଁରେ ପାଣି ପାଇଁ ଡହଳବିକଳ ପରିସ୍ଥିତି ସୃଷ୍ଟି ହୋଇଛି।

ପୋଚାଲୁଣ୍ଡି ପଞ୍ଚାୟତ ବିଷ୍ଣୁଚକ୍ର ଗ୍ରାମ ମୁଖ୍ୟସଡ଼କ ଛକରେ ଥିବା ସୋଲାର୍ ପ୍ରକଳ୍ପ ଦୀର୍ଘ ୬ ମାସ ହେଲା ଅଚଳ ହୋଇ ପଡ଼ି ରହିଛି। ଫଳରେ ସ୍ଥାନୀୟ ‌ଜନସାଧାରଣ ସମେତ ବସ୍‌କୁ ଅପେକ୍ଷା କରିବାକୁ ଆସୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୋଚାଲୁଣ୍ଡି ଗ୍ରାମର ପାଣିଟାଙ୍କି ନିକଟରେ ଥିବା ସୋଲାର୍ ପ୍ରକଳ୍ପ ସ୍ଥାପନ ହେବା ଦିନଠୁ ପାଣି ଆସୁନି। ଯେଉଁ ନଳକୂପରେ ସୋଲାର୍ ପ୍ରକଳ୍ପ ପାଇଁ ମୋଟର୍ ଲଗାଯାଇଛି, ସେହି ନଳକୂପରୁ ପୂର୍ବରୁ ମଧ୍ୟ ପାରି ବାହାରୁ ନଥିଲା। କିନ୍ତୁ ଶୁଖିଲା ନଳକୂପରେ ଜାଣିଶୁଣି ମୋଟର୍ ଲଗାଯାଇ ଲକ୍ଷାଧିକ ଟଙ୍କା ବିଲ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଖୋଳଖାଳି ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ମଝିରେ ପ୍ରାୟ ୩ ବର୍ଷ ତଳେ ସୋଲାର୍ ପ୍ରକଳ୍ପ ନିର୍ମାଣ ହୋଇଛି। ସେଠାରେ ପୂର୍ବରୁ ଥିବା ନଳକୂପରେ ମୋଟର ବି ଲାଗିଛି। ହେଲେ ପ୍ରକଳ୍ପ ସ୍ଥାପନ ହେବା ଦିନଠୁ ପାଣି ଆସୁନି। ତଥାପି ହ୍ୟାଣ୍ଡେଲ୍ କଚାଡ଼ି ଗ୍ରାମବାସୀ କ‌ଷ୍ଟେମଷ୍ଟେ ପିଇବା ପାଣି ସଂଗ୍ରହ କରୁଥିଲେ। କିନ୍ତୁ ଏହି ନଳକୂପ ବି ବର୍ତ୍ତମାନ ୧୫ ଦିନ ହେଲା ଅଚଳ ହୋଇ ପଡ଼ିରହିଛି। ସେହିପରି ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋଲାବଞ୍ଜର ଗ୍ରାମରେ ସୋଲାର୍ ପ୍ରକଳ୍ପ ପାଇଁ ଟାଙ୍କି ବସିବା ସହ ପ୍ଲେଟ୍ ଲାଗିଛି। ଏହାମଧ୍ୟରେ ଦେଢ଼ ବର୍ଷ ବିତିସାରିଥିଲେ ହେଁ, ମୋଟର୍ ଲାଗି ନଥିବାରୁ ସୋଲାର୍ ଟାୱାର୍ ବର୍ତ୍ତମାନ ପିଲାଙ୍କ ପାଇଁ କ୍ରୀଡ଼ା ସରଞ୍ଜାମ ପାଲଟିଛି। କରଚୁଲି ପଞ୍ଚାୟତର ଗୌଡ଼ସିଙ୍ଗିପୁର ଗ୍ରାମରେ ମଧ୍ୟ ସୋଲାର୍ ପ୍ରକଳ୍ପ ନିର୍ମାଣ ହୋଇଛି। କିନ୍ତୁ ପାଣି ନେବାକୁ ‌କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ବର୍ଷେ ହେଲା ମୋଟର ତାର କାଟି ଦିଆଯାଇଛି। ବିଭିନ୍ନ ସ୍ଥାନରେ ସୋଲାର୍ ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ବ୍ୟୟ ହୋଇଥିବା ବେଳେ ଏହା ଲକ୍ଷ୍ୟସ୍ଥଳଠୁ ବହୁ ଦୂରରେ ଥିବା ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe