ଦାରିଦ୍ର୍ୟ ପାଇଁ ସୋମନାଥଙ୍କ ଆତ୍ମହତ୍ୟା ଘଟଣା : ଗଛତଳେ ଏବେ ଖିଲ ପରିବାର

Advertisment
ଦାରିଦ୍ର୍ୟ ପାଇଁ ସୋମନାଥଙ୍କ ଆତ୍ମହତ୍ୟା ଘଟଣା : ଗଛତଳେ ଏବେ ଖିଲ ପରିବାର

ମାଲକାନଗିରି : ଦାରିଦ୍ର୍ୟ ପାଇଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସପ୍ତଧାରା ଗାଁର ସୋମନାଥ ଖିଲ ଆତ୍ମହତ୍ୟା ଘଟଣାରେ ପ୍ରଶାସନିକ ଅବହେଳାର ଗୋଟିଏ ପରେ ଗୋଟିଏ ପରସ୍ତ ଖୋଲିବାରେ ଲାଗିଛି। ମୁଣ୍ଡ ଗୁଞ୍ଜିବାକୁ ନା ଥିଲା ପକ୍କା ଘର ନା ରାସନ କାର୍ଡ ଯୋଗାଇ ଦିଆଯାଇଥିଲା। ଭଗବାନଙ୍କ ଭରସା‌ରେ ବଞ୍ଚିବାକୁ ଏହି ଅଭାବୀ ପରିବାରକୁ ଛାଡ଼ି ଦିଆଯାଇଥିଲା। ଘରର ମୁରବିକୁ ହରାଇ ପୂରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ୪ ଶିଶୁଙ୍କୁ ଧରି ଖୋଲା ଆକାଶ ତଳେ ପଡ଼ିଛନ୍ତି ଅସହାୟ ପତ୍ନୀ କୁନି ଖିଲ। ବିଡ଼ମ୍ବନା ହେଲା ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ ଯେତିକି ତତ୍ପରତା ଦେଖାଇବା କଥା ଦେଖାଇ ନାହିଁ। ଆଜି ବି ଏହି ଅସହାୟ ପରିବାର ନିକଟରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।

ଆଜି କୁନିଙ୍କ ନିକଟରେ ପହଞ୍ଚିବା ବେଳକୁ ବିବ୍ରତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସୋମନାଥଙ୍କ ଆତ୍ମହତ୍ୟା ପରେ ଗୋଟିଏ ଗଛମୂଳେ ୪ଶିଶୁଙ୍କୁ ନେଇ ଆଶ୍ରୟ ନେଇଛନ୍ତି ପତ୍ନୀ କୁନି। ହାଡ଼ଭଙ୍ଗା ଶୀତ ଏବଂ ଜୀବଜନ୍ତୁଙ୍କ ଭୟ ରହିଥିଲେ ବି ଖୋଲାମେଲାରେ ବଞ୍ଚିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା କହିଛନ୍ତି କୁନି। ପିଲାଙ୍କୁ ପେଟ ଭର୍ତ୍ତି ଖାଦ୍ୟ ଦେବାକୁ ଚାଉଳ ଛଡ଼ା ପାଖରେ ଆଉ କିଛି ନଥିଲା। ଅସହ୍ୟ ଭୋକରେ ଥରି ଯାଉଥିବା କଅଁଳା ଶିଶୁଙ୍କୁ ପେଟ ଭରିବା ପାଇଁ ଆଖପାଖରୁ କିଛି ମାଗି ଆଣିବେ। ଯଦି କିଛି ନ ମିଳେ ତେବେ ଭୋକରେ ରହିବେ ବୋଲି କହିଥିଲେ।

ଅନ୍ୟପଟେ ଶିଶୁ ବିକ୍ରି ନେଇ ଜଣାପଡ଼ିବାରୁ ଚାଇଲ୍ଡ ଲାଇନ ପକ୍ଷରୁ ଗୋଟିଏ ଟିମ୍ ସପ୍ତଧାରା ଗାଁରେ ପହଞ୍ଚିଥିଲା। ବିକ୍ରି ହୋଇଥିବା ଶିଶୁ ସଂପର୍କରେ ପଚାରିବାରୁ ସୋମନାଥ କୁଡ଼ୁମୁଲୁଗୁମ୍ମା ଅଞ୍ଚଳରେ ୪ମାସର ରାଜାକୁ ବିକ୍ରି କରିଥିଲା। କିନ୍ତୁ କାହାକୁ ଶିଶୁ ବିକ୍ରି କରାଯାଇଛି ସେ ସଂପର୍କରେ କୁନି କିଛି ଜାଣି ନଥିବା କହିଥିଲେ। ଏହାପରେ ଶିଶୁକୁ ଉଦ୍ଧାର କରି କୁନି ନିକଟରେ ଛାଡ଼ିବାକୁ ଚାଇଲ୍ଡ ଲାଇନ୍ ଟିମ୍ ପ୍ରତିଶ୍ରୁତି ଦେଇଥିଲେ। ଏତକ ଶୁଣିବା ପରେ କୁନି ଯାହା ପ୍ରତିକ୍ରିୟା ଦେଇଥିଲେ ତାହା ସମସ୍ତଙ୍କୁ ସବ୍ଧ କରିଥିଲା। ବର୍ତ୍ତମାନ ପରିସ୍ଥିତିରେ ୪ ଛୁଆଙ୍କୁ ବଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏମିତି ସ୍ଥିତିରେ ଚାରି ମାସର ରାଜାକୁ ସେ କେମିତି ପାଳିବେ। ଯଦି ପାରୁଛ ତେବେ ରାଜା ସହ ଅନ୍ୟମାନଙ୍କୁ ବି ସରକାର ନେଇଯାଇ ମଣିଷ କରନ୍ତୁ ବୋଲି ଅତି କରୁଣ ଭାବେ କହିଥିଲେ। ଜଣେ ମା ଏମିତି କହିବା ପଛରେ ରହିଥିବା ଅସହାୟତା ପଛର କାରଣ ଦାରିଦ୍ର୍ୟ ହିଁ ରହିଥିବା ସ୍ପଷ୍ଟ ରୂପେ ବାରି ହୋଇଯାଇଥିଲା।

ଘୋର ଆର୍ଥିକ ଅନଟନ ମଧ୍ୟରେ ରହିଥିବା ସୋମନାଥ ପରିସ୍ଥିତିର ଶିକାର ହୋଇ ନିଜ ଶ୍ବଶୁର ଘରେ ଆଶ୍ରୟ ନେଇଥିଲେ। ପରିସ୍ଥିତିରେ ପଡ଼ି ୪ମାସର ଶିଶୁକୁ ବି ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ବୋହୂ ସଂପୂର୍ଣ୍ଣ ଅସହାୟ ଅବସ୍ଥାରେ ରହିଛି। ପିଲାଙ୍କୁ କେମିତି ବଡ଼ କରିବ ବୋଲି ମୃତ ସୋମନାଥଙ୍କ ମା' ପ୍ରକାଶ କରିଛନ୍ତି। ସରକାର ଯଦି ପିଲାଙ୍କ ପାଇଁ ସହାୟତାର ହାତ ବଢ଼ାଇବ ତେବେ ମଣିଷ ହୋଇଯାନ୍ତେ ବୋଲି କହିଛନ୍ତି। ଘଟଣାର ୨୪ଘଣ୍ଟା ପରେ ବି ପ୍ରଶାସନ ଏହି ପରିବାର ନିକଟରେ ପହଞ୍ଚିନାହିଁ। ଏନେଇ ସଡବ୍ଲୁସି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ କହିଛନ୍ତି ଯେ ଶିଶୁ ବିକ୍ରି ଘଟଣାକୁ ନେଇ ତୁରନ୍ତ ମାମଲା ରୁଜୁ କରିବାକୁ ସେ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସୋମନାଥଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଆଜି ୩ଜଣଙ୍କୁ ଉଦ୍ଧାର କରି ଆଶ୍ରୟ ଦିଆଯାଇଛି। ଦଶାହ ପରେ ଅନ୍ୟ ଜଣଙ୍କୁ ନେବା ପାଇଁ କୁନି କହିଥିଲେ। ତେଣୁ ସୋମନାଥଙ୍କ ଦଶାହ ପରେ ସମସ୍ତ ୪ଜଣ ଯାକ ଶିଶୁଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe