ଜମିପାଇଁ ୨ ପୁଅ ସାଜିଲେ ଜହ୍ଲାଦ : ମା, ଦୁଇ ଭଉଣୀଙ୍କୁ ବାନ୍ଧିଲେ, ମାଡ଼ଗାଳି ଦେଲେ

ଜମିପାଇଁ ୨ ପୁଅ ସାଜିଲେ ଜହ୍ଲାଦ : ମା, ଦୁଇ ଭଉଣୀଙ୍କୁ ବାନ୍ଧିଲେ, ମାଡ଼ଗାଳି ଦେଲେ

କୁଜଙ୍ଗ : ମାନବିକତାର ସବୁ ସୀମା ଲଂଘିଗଲା। ସାମାନ୍ୟ ଜମିପାଇଁ ପୁଅ ନିଜର ମା’ ଓ ଦୁଇ ଭଉଣୀଙ୍କୁ ଜହ୍ଲାଦ ପରି ବ୍ୟବହାର କରି ସେମାନଙ୍କୁ ନଡ଼ିଆ ଗଛରେ ବାନ୍ଧି ପକାଇଲେ। ସର୍ବସମ୍ମୁଖରେ ଦୁଇ ଭଉଣୀ ଓ ମାଙ୍କୁ ମାଡ଼ ଗାଳି ନିର୍ଯାତନା ଦେଇ ଚାଲିଲେ। ଗାଁ ଲୋକ ରୁଣ୍ଡ ହୋଇ ଏହି ଅମାନବୀୟ ଘଟଣାର କେବଳ ମୂକସାକ୍ଷୀ ପାଲଟି ଥିଲେ। ପ୍ରତିବାଦ କରିବାକୁ ସାହସ କରି ନଥିଲେ। ଏଭଳି ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଥିଲା ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ହସିଣା (ଖ) ଗ୍ରାମରେ। ଦୁଇ ଭଉଣୀଙ୍କ ସ୍ଥିତିବାନ ଜାଗାରେ ଦୁଇ ଭାଇ ପାଇଖାନା ନିର୍ମାଣ ଉଦ୍ୟମବେଳେ ଏପରି କାଣ୍ଡ ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ପୁଲିସ୍‌ ଆଜି ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ନିର୍ଯାତିତ ଦୁଇ ଭଉଣୀ ଓ ମା’ଙ୍କୁ ଉଦ୍ଧାର କରିଛି।

publive-image

ପ୍ରକାଶ ଯେ, ଗତକାଲି ଅପରାହ୍ନ ୪ଟାରେ ଏହି ଅମାନବୀୟ ଘଟଣା ଘଟିଥିଲା। ସ୍ବର୍ଗତ ନବଘନ ତରାଇଙ୍କ ଦୁଇପୁଅ ବିଜୟ ତରାଇ ଓ ଗଜେନ୍ଦ୍ର ତରାଇ। ବୃଦ୍ଧାବସ୍ଥାରେ ଦୁଇ ଭାଇ ବାପାମାଆଙ୍କ ଦେଖାଶୁଣା ନ କରିବାରୁ ବାପା ସ୍ବର୍ଗତ ନବଘନ ତରାଇ ୧୧ ଡିସିମିଲ୍ ଡିହରୁ ୫ ଡିସିମିଲ ଡିହକୁ ନିଜ ଝିଅ ପୁଷ୍ପଲତା ସାମଲଙ୍କୁ ବିକ୍ରି କରି ଦେଇଥିଲେ। ତେବେ ଏହି ଜମିଜମାକୁ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘଦିନ ହେବ କନ୍ଦଳ ଲାଗି ରହିଥିଲା। ସେହି ଡିହରେ ଦୁଇ ଭାଇ ବିଜୟ ଓ ଗଜେନ୍ଦ୍ର ଏକ ପାଇଖାନା ନିର୍ମାଣ କରୁଥିଲେ। ଏଥିରେ ଭଉଣୀ ଅନିମା ଓ ପୁଷ୍ପଲତା ସାମଲ ଓ ମାଆ ହାରାମଣି ପ୍ରତିବାଦ କରିବାରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ତେବେ ବିଜୟ ଓ ଗଜେନ୍ଦ୍ର ଦୁଇ ଭଉଣୀ ଓ ମାଙ୍କୁ କୋଦାଳ ବେଂଟରେ ମାଡ଼ ମାରିଥିଲେ। ଦୁଇ ଭଉଣୀ ତଳେ ପଡ଼ି ଯାଇଥିଲେ। ଦୁଇଭାଇ ଏକ ରଶିରେ ପ୍ରଥମେ ମା ହାରାମଣିଙ୍କୁ ଘର ଖୁଂଟରେ ବାନ୍ଧିଦେଲେ। ପରେ କାନ୍ଦବୋବାଳି ପକାଉଥିବା ଦୁଇ ଭଉଣୀ ଅନିମା ଓ ପୁଷ୍ପଲତାଙ୍କୁ ମଧ୍ୟ ବାଡ଼ିରେ ଥିବା ଦୁଇଟି ନଡ଼ିଆ ଗଛରେ ବାନ୍ଧି ପକାଇଥିଲେ। ସ୍ପଷ୍ଟ ଦିବାଲୋକରେ ଏସବୁ ଘଟଣାର ମୂକ ଦେଖଣାହାରୀ ସାଜିଥିଲେ ଗାଁ ଲୋକ। ଏନେଇ ଅନିମାଙ୍କ ପୁଅ ତୁରନ୍ତ ଯାଇ ଥାନାରେ ଜଣାଇ ଥିଲେ। ପୁଲିସ ଆସି ଘଟଣା ସ୍ଥଳରୁ ବନ୍ଧା ହୋଇଥିବା ମା ଏବଂ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ଆଜି ଅନିମାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଦୁଇ ଅଭିଯୁକ୍ତ ଭାଇ ବିଜୟ ଓ ଗଜେନ୍ଦ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe