ଭାଲୁମୁଣ୍ଡା: ବିଦ୍ୟୁତ୍ ଫାଶରେ ମାଛ ଧରୁଥିବା ବେଳେ ମଙ୍ଗଳବାର ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତରେ ବଂଶୀ ଠେଲା (୪୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଜୁରାବନ୍ଧ ପଞ୍ଚାୟତ ମାଲପଡ଼ା ଗାଁରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ୍ ଭାଲୁମୁଣ୍ଡା ଗାଁର ମଧୁ ଠେଲାଙ୍କ ପୁଅ ବଂଶୀ ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଶ୍ବଶୁର ଘର ମାଲପଡ଼ାରେ ରହିଆସୁଥିଲେ। ଗତ ମଙ୍ଗଳବାର ଅପରାହ୍ଣ ୪ଟା ସମୟରେ ବଂଶୀ ଓ ତାଙ୍କ ଦୁଇ ଶଳା ଦାମୁ ଛତ୍ରିଆ, ଚନ୍ଦ୍ର ଛତ୍ରିଆ ମାଛ ଧରିବାକୁ ଗାଁ ନିକଟ ନଈକୁ ଯାଇଥିଲେ। ନଦୀକୂଳରେ ଥିବା ଉଠାଜଳସେଚନ ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ନେଇ ବିଦ୍ୟୁତ୍ ଫାଶ ଦ୍ୱାରା ସେମାନେ ମାଛ ଧରୁଥିଲେ। ଅସାବଧାନତା ଯୋଗୁଁ ବଂଶୀ ବିଦ୍ୟୁତ୍ ଆଘାତ ପାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦାମୁ ଓ ଚନ୍ଦ୍ର ଘରକୁ ଆସି ବଂଶୀଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏନେଇ ମୃତ ବଂଶୀଙ୍କ ଭାଇ ସୁରେନ ଠେଲା ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ବିଦ୍ୟୁତ ଆଘାତରେ ବଂଶୀଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତର କହୁଥିବା ପୁଲିସ ସୂଚନା ଦେଇଛି।
Follow Us