କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ପଙ୍ଗାତିରା ଗୋଡ଼ି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜ୍ୱାଇଁଙ୍କ ଟାଙ୍ଗିଆଚୋଟରେ ଶଶୁରଙ୍କ ମୃତ୍ୟୁ ଘଟିଛି। ଗୋଡ଼ି ସାହି ଗ୍ରାମର ପର୍ଶୁରାମ ବାରିକ (୬୦ବର୍ଷ)ଙ୍କୁ ତାଙ୍କ ଜ୍ୱାଇଁ ରମଣ ବେହେରା ଗତକାଲି ରାତିରେ ଟାଙ୍ଗିଆରେ ଆକ୍ରମଣ କରିଥିଲା।
ଗୁରୁତର ଅବସ୍ଥାରେ ଆହତ ପର୍ଶୁରାମଙ୍କୁ ପରଜଙ୍ଗ ମେଡିକାଲ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ।
ସୂଚନା ମୁତାବକ ପର୍ଶୁରାମଙ୍କ ସାନ ଝିଅ ସୁଲୋଚନା ସେହି ସାହିର ରମଣ ବେହେରାଙ୍କ ପ୍ରେମ ସମ୍ପର୍କ କାରଣରୁ ଦଶବର୍ଷ ପୂର୍ବେ ବୈଦିକ ରିତିନୀତିରେ ବିବାହ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହେରା ମଦ୍ୟପାନ କରି ତାଙ୍କ ଝିଅକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା। ଯାହାକୁ ନେଇ ପର୍ଶୁରାମ ଓ ତାଙ୍କ ସ୍ତ୍ରୀ ବୁଝାସୁଝା ପାଇଁ ଜ୍ୱାଇଁ ଘରକୁ ଯାଇଥିଲା । ତେବେ ଜ୍ୱାଇଁ ରମଣ ବେହେରା ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିବା ସହ ହଠାତ୍ କ୍ଷୁବ୍ଧ ହୋଇ ଅତର୍କିତ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହାଫଳରେ ପର୍ଶୁରାମଙ୍କ ବେକ ଓ ଜଙ୍ଘରେ ଗଭୀର ଆଘାତ ହୋଇଥିଲା ।
ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାକାରୀ ଜ୍ୱାଇଁ ରମଣ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରଜଙ୍ଗ ପୁଲିସ ଓ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ଘଟଣାସ୍ଥଳକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଅଭିଯୁକ୍ତକୁ ଖୋଜୁଥିବା ନେଇ, ସୂଚନା ଦେଇଛନ୍ତି ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର।
Follow Us