ବାହା ନକରିବାରୁ ବାପାଙ୍କୁ ହତ୍ୟା

ଅଭିଯୁକ୍ତ ପୁଅକୁ ବାନ୍ଧି ଛାତ ଉପରେ ପକାଇଦେଲେ ଲୋକେ

ବାହା ନକରିବାରୁ ବାପାଙ୍କୁ ହତ୍ୟା

ପିପିଲି : ବାରମ୍ବାର କହିବା ସତ୍ତ୍ବେ ବାପା ପୁଅର ବାହାଘର କଥା ବୁଝିଲେନି। ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟାକଲା ପୁଅ। ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି।

ପୁଲିସ ସୂଚନା ଅନୁସାରେ ଏହି ଗ୍ରାମର ହୃଷୀକେଶ ପ୍ରଧାନ(୬୦)ଙ୍କ ଦୁଇ ପୁଅ ରବୀନ୍ଦ୍ର ଓ ଜିତେନ୍ଦ୍ର। ବଡ଼ପୁଅ ରବୀନ୍ଦ୍ର ବାହା ହୋଇସାରିଥିବା ବେଳେ ସାନପୁଅ ଜିତେନ୍ଦ୍ର ପ୍ରଧାନ (୩୨) ଓରଫ ଜିତୁ ଅବିବାହିତ। ସେ ଟ୍ରାକ୍ଟର୍‌ ଡ୍ରାଇଭର ଭାବେ କାମ କରନ୍ତି। ବୁଧବାର ରାତି ପ୍ରାୟ ୧୧ଟାରେ ସାନପୁଅ ଜିତୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ତା’ ବାହାଘରକୁ ନେଇ ବାପାଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ। କ୍ରମେ ଏହା ଉଗ୍ରରୂପ ନେଇଥିଲା। ଶେଷରେ ଉତ୍ତ୍ୟକ୍ତ ହୋଇ ଘରେଥିବା ଏକ ଟାଙ୍ଗିଆ ଆଣି ବାପା ହୃଷୀକେଶଙ୍କ ମୁଣ୍ଡକୁ ଏକ ଚୋଟ ପକାଇଥିଲେ। ଗୋଟିଏ ଚୋଟରେ ଟଳିପଡ଼ିଥିଲେ ବାପା ହୃଷୀକେଶ। ହତ୍ୟାକାଣ୍ଡ ଭିଆଇ ଜିତୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହତ୍ୟା ଅଭିଯୁକ୍ତ ଜିତୁଙ୍କ ଗୋଡ଼ ଦୁଇଟିକୁ ବାଡ଼େଇ ଭାଙ୍ଗି ଛାତ ଉପରେ ପକାଇ ଦେଇଥିବା କୁହାଯାଉଛି।

ଖବରପାଇ ପିପିଲି ପୁଲିସ ଗୁରୁବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜିତୁଙ୍କୁ ତାଙ୍କ ଘର ଛାତ ଉପରୁ ଗିରଫ କରି ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ପୁରୀରୁ ସାଇଣ୍ଟିଫିକ୍‌ ଟିମ୍‌, ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ଥାନା ଅଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏ ନେଇ ପିପିଲି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe