ରାଉରକେଲା: ଯେଉଁ ମା’ ନଅ ମାସ ନିଜ ଗର୍ଭରେ ରଖି ପୁଅକୁ ଜନ୍ମ ଦେଇଥିଲେ,ସେଇ ପୁଅ ହାତରୁ ମୃତ୍ୟୁ ଘଟିଲା। ଏଭଳି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ। ମୃତକ ହେଲେ ପୁନି ତନ୍ତୀ (୬୨)। ଅଭିଯୁକ୍ତ ସରୋଜ ତନ୍ତୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ ବୀରମିତ୍ରପୁର ବିର୍ସାମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ଥିବା କୁମ୍ଭାରପଡା ଗୋୱାଲା ବସ୍ତି ରହୁଥିବା ପୁନି ତନ୍ତୀଙ୍କୁ ତା ପୁଅ ସରୋଜ ତନ୍ତୀ ସାମାନ୍ୟ କଳିରୁ ପିଟିପିଟି ହତ୍ୟା କରିଥିବା ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ସରୋଜ ତନ୍ତୀ ଅନେକ ସମୟରେ ମଦ ପିଇ ତାର ମା’ ପୁନି ତନ୍ତୀଙ୍କ ସହିତ ଝଗଡ଼ା କରି ଆସୁଥିଲା। ପୁନୀ ଦିନମଜୁରିଆ ଭାବେ ବୀରମିତ୍ରପୁର ଅଂଚଳରେ କାମକରି ନିଜ ପରିବାର ପେଟ ପୋଷୁଥିଲେ।
ଗତକାଲି ରାତିରେ ପୁନି କାମ ସାରି ବିଧବା ଭତ୍ତା ଟଙ୍କା ଧରି ଘରକୁ ଫେରିଥିବା ବେଳେ ମଦ୍ୟପ ପୁଅ ସରୋଜ ତନ୍ତୀ ମା’ଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା। କିନ୍ତୁ ମା’ ଟଙ୍କା ନ ଦେବାରୁ ପୁଅ ସରୋଜ ତନ୍ତୀ ଉତକ୍ଷୀପ୍ତ ହୋଇ ଚାପୁଡା ମାଡ ମାରିବାରୁ ସେ ମୁହଁ ମାଡି ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ପାଖ ପଡୋଶୀ ଲୋକଙ୍କ ସାହାଯ୍ୟରେ ତାଙ୍କୁ ବୀରମିତ୍ରପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ଉପଖଣ୍ଡ ପୁଲିସ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ସୁନ୍ଦରଗଡ଼ ଫୋରେନସିକ ସବ୍ ଇନ୍ସପେକ୍ଟର ଅଚ୍ୟୁତ କୁମାର ରଥ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଥିବା ବେଳେ ଅଭିଯୁକ୍ତ ପୁଅ ସରୋଜ ତନ୍ତୀକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡିଛି।
Follow Us