ଫୁଲବାଣୀ : ମାଆକୁ ଛୁରି ଭୁସି ହତ୍ୟା କଲା ପୁଅ, ବାପା ଓ ଭଉଣୀ ସମେତ ଚାରି ଗୁରୁତର

Advertisment
ଫୁଲବାଣୀ : ମାଆକୁ ଛୁରି ଭୁସି ହତ୍ୟା କଲା ପୁଅ, ବାପା ଓ ଭଉଣୀ ସମେତ ଚାରି ଗୁରୁତର

ଫୁଲବାଣୀ : ଦିନକରେ କନ୍ଧମାଳରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ। ସାରଙ୍ଗଗଡ଼ର ପୂର୍ବତନ ସରପଞ୍ଚ ବ୍ରଜ ବିଶୋଇଙ୍କୁ ଗତକାଲି ସନ୍ଧ୍ୟାରେ ଜମିରେ ପାଣି ମଡ଼ାକୁ ନେଇ ପଡ଼ୋଶୀ ସମ୍ପର୍କୀୟ ଭାଇ ଡେପୁଟି ବିଶୋଇ ଟାଙ୍ଗିଆରେ ହାଣି ହତ୍ୟା‌ କରିଥିଲା। ରାତି ୮ଟାରେ ପୁଣି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଫୁଲବାଣୀ ସଦର ଥାନା ଇଲାକରେ। ବେହେରାପଦର ଗାଁରେ ଏ ଘଟଣା ଆଜି ସକାଳେ ପଦାକୁ ଆସିଲା। ନୃଶଂସ ପୁଅ ଗୋଡ଼ାଇ ଛୁରା ମାଡ଼ କରିବାରୁ ଜନ୍ମଦାତ୍ରୀ ମା’ର ମୃତ୍ୟୁ ହୋଇଛି। ବାପା, ଭଉଣୀ, ଭଣଜା ଓ ପୁତୁରା ମଧ୍ୟ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପୁଅ ଭାଗୀରଥି ସେଠୀ(୨୫)ର ଛୁରାମାଡ଼ରେ ମା ଉର୍ମିଳା ବେହେରାଙ୍କର ମୃତ୍ୟୁ ହୋଇଛି। ମାଝିପଦରରେ ଭାଗୀରଥିର ଘର। ତା ପାଖରେ ବାପା ରହୁଥିବା ବେଳେ ବେହେରାପଦରରେ ଭଉଣୀ ପାଖରେ ମା ରହୁଥିଲେ। ଭଉଣୀ ବୃନ୍ଦାବତୀଙ୍କ ନଣନ୍ଦଙ୍କ ପୁଅ ଭାଗୀରଥିଙ୍କ ଲୁନା ଗାଡ଼ିକୁ ନେଇଥିଲା। ଗାଡ଼ି ଟିକେ ଖରାପ ହେବାରୁ ଭାଗୀରଥି ସଜାଡ଼ି ଦେବାକୁ କହିଥିଲା। ତାପରେ ଭଉଣୀ ୨ହଜାର ଟଙ୍କା ଦେଇ ଗାଡ଼ି ସଜାଡି ଦେବାକୁ କହିଥିଲା। ହେଲେ ନୂଆଗାଡ଼ି କିଣିକି ଦେବାକୁ ଭଉଣୀକୁ ଭାଗୀରଥି କହିଥିଲା। ଏହାକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଗତକାଲି ସକାଳେ ଝଗଡ଼ା ହୋଇଥିଲା। ଭଉଣୀ ସେଠାରୁ ପଳାଇ ଯାଇଥିଲା। ଏହାପରେ ଗତକାଲି ରାତି ୮ଟାରେ ଭାଗୀରଥି ହଠାତ ଛୁରି ଧରି ଭଉଣୀ ଘରେ ପହଞ୍ଚିଥିଲେ। ଭଉଣୀଙ୍କ ନଣନ୍ଦର ପୁଅ ପୁତୁରାକୁ ଆକ୍ରମଣ କରିବାକୁ ଯିବା ସମୟରେ ସମସ୍ତେ ଛଡ଼ାଛଡ଼ି କରିଥିଲେ। ହେଲେ ମଦ୍ୟପାନ କରି ହିତାହିତ ଜ୍ଞାନ ଭୁଲି ଯାଇଥିଲା ଭାଗୀରଥି। ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରା ମାଡ଼ କଲା। ଏମିତିକି ମା’ ଓ ବାପାଙ୍କୁ ବି ଛାଡ଼ି ନଥିଲା। ଛୁରା ମାଡ଼ରେ ମାଉର୍ମିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭଉଣୀ, ଭଣଜା ଓ ପୁତୁରା ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାପା ସେଠାରେ ପହଞ୍ଚିବାରୁ ତାଙ୍କୁ ବି ଛୁରା ମାଡ଼ କରିଥିଲା। ଏଭଳି ନୃଶଂସ କାଣ୍ଡ ଘଟାଇବା ପରେ ସେ ଜଙ୍ଗଲ ଆଡ଼େ ପଳାଇଥିଲା। ଗୁରୁତର ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେସ୍‌ ନଂ ୬୭/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe