Representational image: The Express Tribune
ବଡ଼ସାହି: ପରକୀୟା ପ୍ରେମ ଓ ବହୁ ପତ୍ନୀ ଗ୍ରହଣକୁ ବିରୋଧ କରିବାରୁ ୨୫ ବର୍ଷର ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ବାପା। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନାଉପାଳ ପଞ୍ଚାୟତ ନରଣଖୁଣ୍ଟା ଗାଁ’ରେ ରବିବାର ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଅଞ୍ଚଳବାସୀଙ୍କୁ ଦୋହଲାଇ ଦେଇଛି।
ପୁଲିସ ସୂଚନା ଅନୁଯାୟୀ, ନରଣଖୁଣ୍ଟା ଗାଁ’ର ଅନିଲ ସିଂ (୪୭) କିଛି ଦିନ ଅନ୍ତରରେ ନୂଆ ନୂଆ ମହିଳାଙ୍କୁ ଆଣି ପତ୍ନୀ ଭାବେ ଘରେ ରଖନ୍ତି। ହେଲେ ବାପାର ଏମିତି କାର୍ଯ୍ୟକୁ ପୁଅ ପ୍ରମୋଦ ସିଂ ଓରଫ ବଣ୍ଟି (୨୭) ବିରୋଧ କରିବା ସହ ନିଜ ପତ୍ନୀଙ୍କୁ ନେଇ ଗତ କିଛି ମାସ ହେଲା ବାରିପଦାରେ ଘରଭଡ଼ା ନେଇ ରହୁଥିଲେ। ନିକଟରେ ପୁଣି ଜଣେ ମହିଳାଙ୍କୁ ଆଣି ଘରେ ରଖିଥିଲେ ବାପା ଅନୀଲ। ଏ ଖବର ପାଇ ଆଜି ଗାଁକୁ ଆସିଥିଲେ ବଣ୍ଟି। ଏକାଧିକ ମହିଳାଙ୍କୁ ଆଣି ଘରେ ରଖିବାକୁ ନେଇ ବାପପୁଅଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ଅନୀଲ ଉତ୍କ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ପୁଅ ବଣ୍ଟିର ହାତ ଓ ମୁହଁକୁ ହାଣି ପକାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘର ଆଗରେ ଛଟପଟ ହୋଇ ବଣ୍ଟିଙ୍କର ମୃତ୍ୟୁ ଘଟିଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇ ନିଜ ନୂଆ ପତ୍ନୀଙ୍କୁ ଧରି ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ ଅନୀଲ। ଏ ନେଇ ବଣ୍ଟିଙ୍କ ପତ୍ନୀ ସରସ୍ୱତୀ ବଡ଼ସାହି ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଓ ପୁଲିସ ଷ୍ଟାଫ୍ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛନ୍ତି। କେସ୍ ନଂ ୧୫୦/୨୧ରେ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି। ହତ୍ୟାକାରୀକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
Follow Us