୧୨ ବର୍ଷ ବୟସରେ ଘର ଛାଡ଼ିଥିଲା, ଝୁରୁଥିଲା ମା’: ୨୪ ବର୍ଷ ପରେ ଫେରିଲା ପୁଅ

୧୨ ବର୍ଷ ବୟସରେ ଘର ଛାଡ଼ିଥିଲା, ଝୁରୁଥିଲା ମା’: ୨୪ ବର୍ଷ ପରେ ଫେରିଲା ପୁଅ

ଖଣ୍ଡପଡ଼ା : ସେତେବେଳେ ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ପାଠପଢ଼ିବା ପାଇଁ ବାପାଙ୍କ ଅନୁଶାସନ ଯୋଗୁ ସେ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। ସେହିଦିନଠାରୁ ମାଆ ଆଖିରୁ ଲୁହ ବି ଶୁଖୁନଥିଲା। ଯେଉଁ ବାପାଙ୍କ ଅନୁଶାସନ ପାଇଁ ସେ ଘର ଛାଡ଼ିଥିଲେ, ସେ ବି ଆଉ ନାହାନ୍ତି। ଆରପାରିକି ଚାଲିଯାଇଛନ୍ତି। ପ୍ରତିମୁହୂର୍ତ୍ତରେ ପରିବାର ଲୋକେ ତାଙ୍କୁ ଝୁରି ହେଉଥିବାବେଳେ ସମସ୍ତଙ୍କୁ ଚମକାଇଦେଇ ସେ ଫେରିଆସିଛନ୍ତି ଘରକୁ। ଇତିମଧ୍ୟରେ ୨୪ ବର୍ଷ ବି ବିତିଯାଇଛି। ସେଦିନର ସେହି ବାଳକ ଆଜି ୩୬ ବର୍ଷ ବୟସରେ ବି ପଦାର୍ପଣ କରିସାରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କୁମ୍ଭାରପଡ଼ା ଗ୍ରାମର ଏହି ଘଟଣା ଠିକ୍‌ ଗୋଟିଏ ଚଳଚ୍ଚିତ୍ରର ଦୃଶ୍ୟ ଭଳି।

ସେ ହେଉଛନ୍ତି ଆସମାନ ଦାଶ। ୧୯୯୮ ମସିହା ଫେବ୍ରୁଆରି ୧୧ରେ ଗାଁରୁ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ ଅସମାନ। ପରିବାର ଏବଂ ବନ୍ଧୁବାନ୍ଧବ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ଆସମାନ ଗାଁରୁ ଯାଇ ହାଇଦ୍ରାବାଦର ଏକ ଟେଣ୍ଟ୍‌ ହାଉସ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। କୌଣସି କାରଣବଶତଃ ସେ ଆଉ ଗାଁକୁ ଫେରିନଥିଲେ। ମାତ୍ର ପରିବାର ଲୋକଙ୍କୁ ସବୁବେଳେ ମନେପକାଇ ଗୁମୁରି ଗୁମୁରି କାନ୍ଦୁଥିଲେ। ଟେଣ୍ଟ୍‌ ହାଉସ୍‌ ମାଲିକଙ୍କ ଝିଅ ଜାଣିପାରି ତାଙ୍କୁ ଘରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଆସମାନଠାରୁ ଘର ଠିକଣା ନେଇ ଚିଠି ଲେଖିବା ପରେ ଗ୍ରାମକୁ ଫେରିବାର ବାଟ ଫିଟିଥିଲା। ହାଇଦ୍ରାବାଦରୁ ଏକ ଘରୋଇ ବସ୍‌ରେ ଆସି ଖୋର୍ଦ୍ଧାରେ ପହଞ୍ଚିବା ପରେ ବଡ଼ ଭାଇ ତୋଫାନ ଦାଶ ସେଠାରୁ ତାଙ୍କୁ ଗାଁକୁ ଆଣିଥିଲେ। ଆସମାନ ଗାଁରେ ପହଞ୍ଚିବା କ୍ଷଣି ଅପେକ୍ଷାରତ ଗ୍ରାମବାସୀ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଗ୍ରାମ ପରିକ୍ରମା କରାଇଥିଲେ।

‘ସମ୍ବାଦ’ ପକ୍ଷରୁ ଆସମାନଙ୍କ ପ୍ରତିକ୍ରିୟା ନେବାବେଳେ ଆଉ ହାଇଦ୍ରାବାଦ ଫେରିବାକୁ ଚାହୁନଥିବା କଥା ଛଳଛଳ ଆଖିରେ କହିଛନ୍ତି। ଦୀର୍ଘ ୨୪ ବର୍ଷ ଧରି କୌଣସି ଖୋଜଖବର ନଥିବା ଆସମାନ ଏବେ ଫେରିଥିବା କଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe