କାମ କଲେ ପୁଅ, ବିଲ୍‌ ପାଇଲେ ସ୍ୱର୍ଗତ ବାପା

Advertisment
କାମ କଲେ ପୁଅ, ବିଲ୍‌ ପାଇଲେ ସ୍ୱର୍ଗତ ବାପା

Image Courtesy of India.com

ଏରସମା : କାମ କଲେ ପୁଅ, କିନ୍ତୁ ସରକାରୀ ରେକର୍ଡ କହୁଛି ପରଲୋକଗତ ବାପା ସରକାରୀ ତହବିଲରୁ ବିଲ୍ ଟଙ୍କା ଉଠାଇ ନେଇଛନ୍ତି। ଏ ପଟେ କିନ୍ତୁ ପୁଅ ୫ ମାସ ହେଲା କାମ କରି ବିଲ୍ ନ ପାଇ ହତାଶ ହୋଇବସିଛନ୍ତି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଜାନକାଦେଇପୁର ପଞ୍ଚାୟତରେ ଏଭଳି ଏକ ଦୁର୍ନୀତି ଏବେ ଚର୍ଚ୍ଚାର ‌ପ୍ରସଙ୍ଗ ହୋଇଛି। ସରକାରଙ୍କ ଦ୍ବାରା ଟ୍ୟାଙ୍କର୍‌ ଯୋଗେ ପାନୀୟ ଜଳ ଯୋଗାଣରେ ନିୟୋଜିତ ଜଣେ ଟ୍ରାକ୍ଟର ମାଲିକ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ପାନୀୟ ଜଳର ଘୋର ସମସ୍ୟା ଥିବାରୁ ଗତ ବର୍ଷ ଖରା ଦିନେ ଏହି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର୍‌ ଯୋଗେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହୋଇଥିଲା। ତଥ୍ୟ ଅନୁସାରେ ଏଥିପାଇଁ ଲକ୍ଷାଧିକ ଟଙ୍କା ବିଲ୍‌ କରାଯାଇଛି। ଖରାଦିନେ ମାତ୍ର ମାସେ ଦୁଇ ମାସ ଜଳଯୋଗାଣ କରାଯାଇଥିବା ବେଳେ ୫ ମାସର ବିଲ୍‌ କରାଯାଇଛି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ପାଇଁ ଦୁଇଟି ଟ୍ରାକ୍ଟର ନିୟୋଜନ କରାଯାଇଥିଲା। ସେଥିରୁ ଗୋଟିଏ ଟ୍ରାକ୍ଟରର ମାଲିକ ହେଉଛନ୍ତି ଲଛମାକଣ ଗ୍ରାମର ଦେବେନ୍ଦ୍ର ରଥ। ଶ୍ରୀ ରଥଙ୍କୁ ପ୍ରାପ୍ୟ ବାବଦରେ ତାଙ୍କ ମୃତ ପିତାଙ୍କ ନାମରେ ଲକ୍ଷାଧିକ ଟଙ୍କା ଉଠାଯାଇଛି।

ଦେବେନ୍ଦ୍ର କହିଛନ୍ତି, ଜଳଯୋଗାଣ ବାବଦ ଧାର୍ଯ୍ୟ ପ୍ରାପ୍ୟ ତାଙ୍କୁ ଦିଆଯାଇ ନ ଥିବାବେଳେ କିଭଳି ମୃତ ପିତାଙ୍କ ନାମରେ ଲକ୍ଷାଧିକ ଟଙ୍କା ବିଲ୍‌ କରାଯାଇଛି ତାହା ଆଶ୍ଚର୍ଯ୍ୟର କଥା। ତାଙ୍କ ସ୍ବାକ୍ଷରକୁ ଜାଲ୍‌ କରାଯାଇଛି। ଏ ନେଇ ସେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।
ବିଡ଼ିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ଏ ସଂପର୍କରେ ତାଙ୍କ ନିକଟରେ ଅଭିଯୋଗ ରହିଛି। ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାତ୍ର ତତ୍କାଳୀନ କାର୍ଯ୍ୟନିର୍ବହୀ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ମୃତବ୍ୟକ୍ତିଙ୍କ ନାମରେ ପାଣି ବିଲ୍‌ କିପରି କଲେ ଓ କାହିଁକି କଲେ ତାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe