ନିଅଣ୍ଟିଆ ବର୍ଷା ଜିଲ୍ଲା ତାଲିକାରେ ସୋନପୁର ସାମିଲ

Advertisment
୧୦ ଜିଲ୍ଲାରେ ହୋଇପାରେ ଅତି ପ୍ରବଳ ବର୍ଷା

Metweather

ଭୁବନେଶ୍ୱର : ଉପକୂଳର ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିଲା ବେଳେ ଆଜି ଏହି ତାଲିକାରେ ସୋନପୁର ଜିଲ୍ଲା ସାମିଲ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ୧ ଜୁନ୍‌ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ବର୍ଷାର ପରିମାଣ ୪୦୨.୭ମିମି ରହିଛି। ସ୍ବାଭାବିକ ଭାବେ ଏହି ସମୟରେ ୪୧୬.୭ ମିମି ବର୍ଷା ହୋଇଥାଏ। ଅର୍ଥାତ ୩% ନିଅଣ୍ଟିଆ ବର୍ଷା ହୋଇଛି। ପୂର୍ବରୁ ହିଁ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ବରରେ ଅଭାବୀ ବର୍ଷା ପରିସ୍ଥିତି ଲାଗିରହିଛି। ସୋନପୁରରେ ଏବେ ପ୍ରାୟ ୧୫ରୁ ୨୦ % କମ୍‌ ବର୍ଷା ହୋଇଗଲାଣି। ପୁରୀରେ ସବୁଠାରୁ ଅଧିକ ନିଅଣ୍ଟିଆ ବର୍ଷା ( ୪୪% କମ୍‌) ହୋଇଥିବା ଜଣାପଡ଼ିଛି। ବାକି ୪ ଜିଲ୍ଲାରେ ୨୦-୩୦% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ସୁଦ୍ଧା ୪ଟି ଜିଲ୍ଲାରେ ଅତିରିକ୍ତ ବର୍ଷା ରେକର୍ଡ କରାଯାଇଛି। ନୂଆପଡ଼ା, ମାଲକାନଗିରି, ଝାରସୁଗୁଡ଼ା ଓ ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ବର୍ଷା ଝାରସୁଗୁଡ଼ା ଜିଲ୍ଲାରେ ହୋଇଯାଇଛି।

ଆସନ୍ତା ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ‌ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ଅପରାହ୍ନରୁ ୨୧ ତାରିଖ ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଧା, ନୟାଗଡ଼ ଓ କଟକ‌ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୧ ତାରିଖ ଅପରାହ୍ନରୁ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଅଞ୍ଚଳ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଯାଇଛି। କୋରାପୁଟର ଶିମିଳିଗୁଡ଼ାରେ ରାଜ୍ୟର ସର୍ବାଧିକ ବର୍ଷା ୬୪.୦ ମିମି ଓ ରାୟଗଡ଼ା ଜିଲ୍ଲା ବିଷମ କଟକରେ ୫୦.୪ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe