ସକାଳୁଆ ସ୍କୁଲ ପାଇଁ ଏସ୍‌ଓପି କର: ମୁଖ୍ୟମନ୍ତ୍ରୀ, ସକାଳ ୭ରୁ ୯ଟା ଖୋଲିବ ଅଙ୍ଗନବାଡ଼ି

Advertisment

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି....

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି....

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ସମସ୍ତେ କାମ କରିବେ। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯେଉଁ ଏସ୍‌ଓପି ଜାରି କରାଯାଇଛି ତାକୁ ଜିଲ୍ଲାପାଳମାନେ କାର୍ଯ୍ୟକାରୀ କରିବେ। ଆବଶ୍ୟକସ୍ଥଳେ ପରିସ୍ଥିତିକୁ ଦେଖି ଏସ୍‌ଓପି ବାହାରେ ମଧ୍ୟ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ସକାଳୁଆ ସ୍କୁଲ, ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ, ଜିରୋ କାଜୁଆଲିଟି ଉପରେ ଅଧିକ ଫୋକସ୍ ଦେଇଛନ୍ତି। 

ବୈଠକ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଥିଲେ ଚଳିତବର୍ଷ ଆଗୁଆ ଗ୍ରୀଷ୍ମପ୍ରବାହ ଆସିଛି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହୁଛି। ପାଣିପାଗ ବିଭାଗ ଆକଳନ କରୁଛି ଆଗକୁ ତାପମାତ୍ରା କମିବ। ହେଲେ ଆମ ଲକ୍ଷ୍ୟ ଶୂନ ମୃତାହତ। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ସକାଳୁଆ ସ୍କୁଲ କରିବା ପାଇଁ ଏସ୍‌ଓପି ଜାରି କରୁ। ଏହାସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୯ଟା ମଧ୍ୟରେ ରଖାଯାଉ। ମୁଖ୍ୟମନ୍ତ୍ରୀ କହିଥିଲେ, ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ ହଜାରରୁ ଅଧିକ ନଳକୂଅ ମଞ୍ଜୁର କରାଯାଇଛି। କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂଅ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ। ଯେଉଁସବୁ  ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି, ସେ ସବୁ ଅଞ୍ଚଳକୁ ଚିହ୍ନଟ କରି ବୋର୍‌ୱେଲ ଓ ନଳକୂଅର ବ୍ୟବସ୍ଥା କରାଯାଉ। ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମା‌େନ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାମ କରିବେନି। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଉ।

ଗ୍ରୀଷ୍ମ ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ସକାଳ ୭ରୁ ୯ଟା ଖୋଲିବ ଅଙ୍ଗନବାଡ଼ି
ଖରାବେଳେ, ସନ୍ଧ୍ୟାରୁ ସକାଳ ଯାଏଁ ବିଦ୍ୟୁତ୍‌ କାଟ୍ ମନା

ଖରା ଦିନେ ବିଦ୍ୟୁତ୍‌ କାଟ୍‌ ସମସ୍ୟାରେ ଯେପରି ଲୋକ ହଇରାଣ ନହେବେ ସେନେଇ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।  ଦିନ ୧୧ଟାରୁ ୫ଟା  ଏବଂ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ୍‌ କାଟ୍‌ ନ ହୁଏ, ସେଥିପ୍ରତି ଶକ୍ତିି ବିଭାଗ ଦୃଷ୍ଟି ଦେବ। ବିଶେଷକରି ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯେପରି ନ ହୁଏ,  ସେଥିପ୍ରତି ଧ୍ୟାନ ଦେବେ। କାଳବୈଶାଖୀ ସମୟରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ସଭାସମିତିଗୁଡ଼ିକୁ ପିକ୍‌ ଟାଇମ୍‌ରେ ଅନୁମତି ନଦେଇ ସକାଳେ ଓ ମଧ୍ୟାହ୍ନରେ କରିବା ପାଇଁ କୁହାଯାଇଛି। ଏନେଇ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ କୁହାଯାଇଛି। ଗ୍ରାମାଞ୍ଚଳରେ ଗ୍ରୀଷ୍ମଜନିତ ସମସ୍ୟାର ନିରାକରଣ ପାଇଁ ସରକାରୀ ଅଧିକାରୀଙ୍କୁ କ୍ଷେତ୍ରକୁ ପଠାଇବା ସହିତ ଜିଲ୍ଲାପାଳମାନେ ନିଜେ ମଧ୍ୟ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୧୦ଟା ମଧ୍ୟରେ ଶେଷ କରିବାକୁ କୁହାଯାଇଛି। 

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏସବୁ କାମ ପାଇଁ ଆମ ସରକାରରେ ଇଚ୍ଛାଶକ୍ତି କିମ୍ବା ଅର୍ଥର ଅଭାବ ରହିବ ନାହିଁ। ନୂଆ ସରକାର ଆସିବା ପରେ ସମସ୍ତଙ୍କ ସହଯୋଗରେ ଆମେ ଅନେକ ବଡ଼ବଡ଼ କାର୍ଯ୍ୟ ସଫଳତାର ସହ କରିଛୁ। ତେଣୁ ଗ୍ରୀଷ୍ମ ପ୍ରବାହ ପ୍ରତି ସତର୍କ ରହିଲେ, ଶୂନ ମୃତାହତ ଲକ୍ଷ୍ୟ ବଜାୟ ରହିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ  ଜିରୋ କାଜୁଆଲିଟି ପ୍ରତି ସଜାଗ ରହି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ରାଜସ୍ବ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଞ୍ଜନ କୁମାର ସିଂହ, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ, ଭୁବନେଶ୍ବର ପାଣିପାଗ ବିଭାଗର ମୁଖ୍ୟ ମନୋରମା ମହାନ୍ତି ଓ ଆଭାସୀ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ଖୋଲିବା ସମୟ ସକାଳ ୭ଟାରୁ ୯ଟା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe