Odisha Sun Times
କଟକ : ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନରୁ ବିଧାୟକ ଭାବେ ପର୍ଶୁରାମ ଧଡାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର ହୋଇଛି। ସୋର ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ରାକେଶ କୁମାର ମଲ୍ଲିକଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।
୨୦୧୯ ସାଧାରଣ ନିର୍ବାଚନ ପରେ ଏହା ହେଉଛି ହାଇକୋର୍ଟରେ ପ୍ରଥମ ନିର୍ବାଚନୀ ମୋକଦ୍ଦମା। ନବ ନିର୍ବାଚିତ ସୋର ବିଧାୟକ ଶ୍ରୀ ଧଡାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ନିର୍ବାଚନ ମାମଲାରେ ପ୍ରଶ୍ନ ଉଠାଯାଇଛି। ସୋର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଶ୍ରୀ ଧଡା ଏହି ବର୍ଗର ନୁହନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଶ୍ରୀ ଧଡା ନାମାଙ୍କନ ସମୟରେ ନିଜ ଜାତି କୈବର୍ତ୍ତ ବୋଲି ଦର୍ଶାଇଥିବାବେଳେ ସେ ପ୍ରକୃତରେ ଘଣି ଜାତିର ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏପରି ପରିସ୍ଥିିତିରେ ଶ୍ରୀ ଧଡାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଏଥି ସହିତ ତାଙ୍କୁ ସୋର ଆସନରୁ ବିଜୟୀ ବୋଲି ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଶ୍ରୀ ଧଡାଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ସୋର ଆସନରୁ ଶ୍ରୀ ଧଡା ବିଜୟୀ ହୋଇଥିବାବେଳେ ତାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଶ୍ରୀ ମଲ୍ଲିକ ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ଏହି ମୋକଦ୍ଦମା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ରେ ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡ଼ା ୫୪, ୭୭୫ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାକେଶ ମଲ୍ଲିକ ୪୯, ୮୩୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।
Follow Us