ଗଞ୍ଜାମ : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଦୁଇଜଣଙ୍କୁ ଗଛରେ ବାନ୍ଧି ମାଡ଼ମାରିବା ସହ ଦାନ୍ତ ଭାଙ୍ଗିଦେଇଛନ୍ତି। ଗ୍ରାମରେ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ପରେ ଅତିରିକ୍ତ ଏସ୍.ପିଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମିଲୁ ଦାସ ପହଞ୍ଚି ଲୋକଙ୍କୁ ସଚେତନତା କରିବା ସହ ଏକ ମେଡିକାଲ ଟିମ ପଠାଇଥିଲେ। ଅନ୍ୟପଟେ ପୁଲିସ ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଡାକ୍ତରଖାନକୁ ନେଇଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ ବି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଏନେଇ ନଂ ୨୦୨/୨୨ରେ ପୁଲିସ ମାମଲା ରୁଜୁ କରିଛି।
ସୂଚନା ପ୍ରକାରେ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ କିଛିଦିନ ତଳେ କୌଣସି କାରଣରୁ ଦୁଇଟି ଶିଶୁ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାସହ ଗ୍ରାମରେ ଝାଡ଼ାବାନ୍ତି ଓ ଦେହଖରାପ ନିୟମିତ ଭାବେ ଲାଗି ରହିଥିଲା। ଯାହାକୁ ନେଇ ଗ୍ରାମରେ ପାଡ଼ିତ ଦୁଇ ଜଣ ଗୁଣି କରୁଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଲୋକମାନେ ନଜର ରଖିଥଲେ। ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରି ଶେଷ ହୋଇଥିବା ଶନିବାର ରାତିରେ କିଶୋର ଦାସ ଓ ମଞ୍ଜୁଳା ଦାସ ଗ୍ରାମ ନିକଟ ଏକ ଦେବୀମନ୍ଦିରକୁ ଯାଇ ତାନ୍ତ୍ରିକ ପୂଜା ପାଇଁ କୋଠି କାଟୁଥିବା ବେଳେ ଲୋକମାନେ ଉଭୟଙ୍କୁ ଘେରି ଯାଇଥିଲେ। ଉଭୟଙ୍କୁ ଗଛରେ ବାନ୍ଧିଦେଇଥିବା ବେଳେ ପରେ ସେମାନଙ୍କ ଦାନ୍ତ ଭାଙ୍ଗିଦେଇଥିଲେ। ଦାନ୍ତ ଭାଙ୍ଗିଦେଲେ ଗୁଣିବିଦ୍ୟା କାମ କରେନାହିଁ ବୋଲି ଲୋକଙ୍କ ଭ୍ରମ ଧାରଣା ରହିଥିବାରୁ ଏଭଳି କାଣ୍ଡ କରିଛନ୍ତି। ଖବର ପାଇ ରମ୍ଭା ଥାନାଧିକାରୀ ସ୍ୱରୂପ କିଷାନ, ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ, ଗଞ୍ଜାମ ସେକେଣ୍ଡ ଅଫିସର ଅଜିତ ପରିଡ଼ା ଓ ଛତ୍ରପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।
Follow Us