‘ରାଜନୀତିକୁ ଠିକ୍ ବାଟରେ ନେବାକୁ ସାହିତ୍ୟିକମାନେ ପ୍ରେସର୍ ଗ୍ରୁପ୍ କରନ୍ତୁ’; ପାଞ୍ଚଟି ମା ସମ୍ପର୍କରେ ଗୁରୁମନ୍ତ୍ର ଦେଲେ ସୌମ୍ୟରଂଜନ

କୋଲାବିରା ‘ସମ୍ବାଦ-ସାହିତ୍ୟଘରର ଦଶମ ବାର୍ଷିକୋତ୍ସବ

‘ରାଜନୀତିକୁ ଠିକ୍ ବାଟରେ ନେବାକୁ ସାହିତ୍ୟିକମାନେ ପ୍ରେସର୍ ଗ୍ରୁପ୍ କରନ୍ତୁ’; ପାଞ୍ଚଟି ମା ସମ୍ପର୍କରେ ଗୁରୁମନ୍ତ୍ର ଦେଲେ ସୌମ୍ୟରଂଜନ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ‘ସମ୍ବାଦ-ସାହିତ୍ୟଘର କୋଲାବିରା ଶାଖାର ଦଶମ ବାର୍ଷିକୋତ୍ସବ ମଙ୍ଗଳବାର ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗ ଦେଇ ଦେଶ ଚଳାଇବାରେ ରାଜନୀତିଜ୍ଞମାନଙ୍କୁ ଉଚିତ ବାଟ ଦେଖାଇବା ପାଇଁ ସାହିତ୍ୟିକମାନେ ଏକ ପ୍ରେସର୍ ଗ୍ରୁପ୍ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ରାଜନୀତିକୁ ଠିକ୍ ବାଟରେ ନେବାକୁ ଏକ ସଶକ୍ତ ବିରୋଧୀ ଦଳର ଆବଶ୍ୟକତାକୁ ପୂରଣ କରିବାରେ ସାହିତ୍ୟିକମାନେ ସହାୟକ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ‘ସମ୍ବାଦ- ସାହିତ୍ୟଘର ଗଠନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେବା ସହ ନିଜ ନିଜର ଅନୁଭୂତିକୁ ନେଇ କ୍ଷୁଦ୍ର ଆତ୍ମଜୀବନୀ ଲେଖିବାକୁ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ।

ସାହିତ୍ୟଘରର କୁଚିଣ୍ଡା ଶାଖା ସଭାପତି ସୁବାସ ଚନ୍ଦ୍ର ନାୟକ ନୀଳକଣ୍ଠଙ୍କ ପ୍ରଦର୍ଶିତ ମାର୍ଗରେ ସଂସ୍କାରର ଆବଶ୍ୟକତା ବର୍ଣ୍ଣନା କରିଥିଲେ। ଭାଗବତ ଟୁଙ୍ଗି ଓ ନାମ ଘରର ଅଭାବକୁ ସାହିତ୍ୟଘର ପୂରଣ କରୁଥିବାରୁ ଘରର ମୁଖିଆଙ୍କୁ କୃତଜ୍ଞତା ଜଣାଇଥିଲେ। ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଶିବପ୍ରିୟା ମିଶ୍ର ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଗ୍ରାମର ବରିଷ୍ଠ ନାଗରିକ ଜନ୍ମେଜୟ ବହିଦାର ମଞ୍ଚାସୀନ ଥିଲେ। ଏହି ଅବସରରେ ‘ସମ୍ବାଦ’ ପୃଷ୍ଠାରେ ଇନ୍ଦ୍ରଧନୁ ନାମରେ ପ୍ରକାଶ ପାଇଥିବା କୋଲାବିରା ସମ୍ବାଦ-ସାହିତ୍ୟଘରର ବାର୍ଷିକ ମୁଖପତ୍ରକୁ ଅତିଥିଗଣ ଉନ୍ମୋଚନ କରିଥିଲେ।

ସାହିତ୍ୟଘର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ରୋହିତ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଡୋଳାମଣି ପ୍ରଧାନ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ପ୍ରାରମ୍ଭରେ ଶ୍ରୀଗଣେଶଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ବୀର ସୁରେନ୍ଦ୍ର ସାଏଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ସମ୍ପାଦକ ପିଙ୍କୁ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ତୁଲେଶ୍ୱର ପଟେଲଙ୍କ ସଂଯୋଜନାରେ ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପଟେଲ, ସମାଜସେବୀ ବିହାରୀଲାଲ ନାଏକ, ଆଦର୍ଶ କୃଷକ ଜୟନ୍ତ ନାଏକ, ବେହେଲା ବାଦକ ମୀନକେତନ ଯୋଗୀ, କ୍ରୀଡ଼ାବିତ୍ ଟଙ୍କଧର ବାଗ, କଣ୍ଠଶିଳ୍ପୀ ଆୟୁଷ ବାଗ ଓ ଯୁବ ସମାଜସେବୀ ସୁଶୀଳ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟଘର ବ୍ଲକ ସଂଯୋଜକ ସାମ୍ବାଦିକ ସୁମନ୍ତ ଶେଖର ବହିଦାର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସମାସିଂହା କ୍ଷୀରୋଦ ଗୌନ୍ତିଆ ବାଳିକା ହାଇସ୍କୁଲର ଛାତ୍ରୀଗଣ ସ୍ୱାଗତ ସଙ୍ଗୀତ, ନୃତ୍ୟ ସହ କବି ସଚ୍ଚି ରାଉତରାୟଙ୍କ ରଚିତ ‘ଛୋଟ ମୋର ଗାଁଟି କବିତାର ନୃତ୍ୟ ରୂପ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe