ଜୟପୁର: ସ୍ଥାନୀୟ ଟାଉନହଲ୍ ପରିସରରେ ଦକ୍ଷିଣ ଓଡ଼ିଶା ଆୟୁର୍ବେଦ ବିକାଶ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡାକ୍ତର ସୂଦର୍ଶନ ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ। ଆୟୁର୍ବେଦର ଏନ୍ତୁଡ଼ିଶାଳ ହେଉଛି ଦକ୍ଷିଣ ଓଡ଼ିଶା। ବିଶେଷକରି ଅବିଭକ୍ତ କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାରେ ଯେଭଳି ଆୟୁର୍ବେଦ ଔଷଧ ମିଳେ ତାହା ଦେଶର ଅନ୍ୟ ପ୍ରାନ୍ତରେ ସମ୍ଭବ ନୁହେଁ। ଗଞ୍ଜାମ ଜିଲ୍ଳାରେ ଶହ ଶହ ବର୍ଷ ପୂର୍ବରୁ ଆୟୁର୍ବେଦକୁ ଲୋକେ ଆପଣାଇଥିବା ବେଳେ ଏହାର ପ୍ରସାର ଏବଂ ପ୍ରଚାର ଦିଗରେ ମଧ୍ୟ ଦକ୍ଷିଣ ଓଡ଼ିଶାବାସୀ କରି ଚାଲିଛନ୍ତି।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଯାଏଁ ସମସ୍ତେ ଆୟୁର୍ବେଦକୁ ଅଧିକ ବିଶ୍ୱସ କରୁଥିଲେ। ତେଣୁ ସେମାନଙ୍କ ସମୟରେ ହିଁ ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତିର ପ୍ରସାର ଥିଲା। ସମୟକ୍ରମେ ଏହାକୁ ପରବର୍ତ୍ତୀ ସରକାର ଯେଭଳି ଗୁରୁତ୍ବ ଦେବା କଥା ତାହା ସମ୍ଭବ ହୋଇ ନାହିଁ । ତଥାପି ଏହି ବିଦ୍ୟାର ବିକାଶ ପାଇଁ ବିଧାନସଭାରେ ଯାହା ଆବଶ୍ୟକ ସେ ବାବଦରେ ନିଜେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ତାରା। କେନ୍ଦ୍ର ସରକାର ଆୟୁଷ ମନ୍ତ୍ରଣାଳୟ ଖୋଲିଥିବା ବେଳେ ରାଜ୍ୟ ସରକାରକୁ ମଧ୍ୟ ସେହି ଦିଗରେ କାମ କରିବାକୁ ସେ ପ୍ରସ୍ତାବ ଦେବା ସହ ଗାଁ ଗହଳିରେ କାମ କରୁଥିବା ବୈଦରାଜ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ଦାବି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆୟୁର୍ବେଦ ସଂପର୍କରେ ଅଧିକା ପ୍ରଚାର ଓପ୍ରସାର ସହ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ।
ମୁଖ୍ୟବକ୍ତା ଭାବେ କବି ପ୍ରଦୀପ ମିଶ୍ର ଯୋଗ ଦେଇ ଆୟୁର୍ବେଦ ଔଷଧ କେଉଁ ଅନାଦି କାଳରୁ ରହି ଆସିଛି ବୋଲି କହିଥିଲେ। ଅତିଥି ଭାବେ ସୋରଡ଼ାରୁ ଆସିଥିବା ଦିବ୍ୟ ଫାର୍ମାର ପ୍ରତିଷ୍ଠାତା ଉପେନ୍ଦ୍ର ପାତ୍ର, ନିଳାଂଚଳ ଶତପଥି, ଦ୍ୱିତୀକୃଷ୍ଣ ଶତପଥି, କାଶୀନଗରରୁ ଆସିଥିବା ପ୍ରକାଶ କୁମାର ପାତ୍ର ପ୍ରମୁଖ ଆୟୁର୍ବେଦ ଉପରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ତତ୍କାଳୀନ ରାଜ୍ୟ ସରକାର କଳାକାର ଓ ସଂକୀର୍ତ୍ତନ ମଣ୍ଡଳୀ ଭତ୍ତା ପ୍ରଦାନ କରିଥିଲେ। କିନ୍ତୁ ଗାଁ ଗହଳିରେ ଲୋକଙ୍କ ସେବା ରାତ୍ର ଦିନ କରୁଥିବା ଗାଁ ବଇଦ ମାନଙ୍କୁ କୌଣସି ସରକାରୀ ସ୍ୱୀକୃତି କିମ୍ବା ପ୍ରୋତ୍ସାହନ ଦିଆଯାଉନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ। ପରିଷଦ ମାଧ୍ୟମରେ ଦକ୍ଷିଣ ଓଡ଼ିଶାରେ ଏକ ଆନ୍ଦୋଳନ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନର ରାଜ୍ୟ ସରକାରରେ ମନ୍ତ୍ରୀ ରହିଥିବା ଏକାଧିକ ସଦସ୍ୟ ଆୟୁର୍ବେଦ ଅଭିଜ୍ଞତାରୁ ଆସିଥିବାରୁ ନିଶ୍ଚୟ ସରକାର ବୈଦ୍ୟ ମାନଙ୍କ କଥା ଶୁଣିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସାଧାରଣ ସଂପାଦକ କବିରାଜ ପରମେଶ୍ୱର ପାତ୍ର ଅତିଥି ପରିଚୟ ସହ ବିବରଣୀ ପାଠ କରିଥିଲେ।
ବୈଠକରେ ଉପଦେଷ୍ଟା ଶ୍ରୀରାମ ଗୌଡ଼, ସହସଂପାଦକ ବୈଦ୍ୟ ସତ୍ୟ ନାରାୟଣ ପରିଛା, କୋଷାଧ୍ୟକ୍ଷ ଭବାନୀ ଚରଣ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ୩୦ ଜଣ ବୈଦ୍ୟଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀକାନ୍ତ ପାତ୍ର, ଡାକ୍ତର ଜିନିଆରାଣୀ ମହାଙ୍କୁଡ଼, ଡାକ୍ତର ପ୍ରଶାନ୍ତ ପ୍ରଧାନ, ଡାକ୍ତର ପ୍ରଶାନ୍ତ ସାହୁ, ମଦନ ମୋହନ ନାୟକ, ମାଧବ ଚୌଧୁରୀ, ଦେବେନ୍ଦ୍ର ବାହିନୀପତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉପସଭାପତି କ୍ଷେତ୍ରବାସୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Follow Us