ପୋଷ୍ଟାଲ୍‌ ବାଲାଟ୍‌ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ତିର୍ତ୍ତୋଲରେ ୩,୬୮୧ ଓ ବାଲେଶ୍ବରରେ ୧,୭୨୭ ଜଣ ପୋଷ୍ଟାଲ ଭୋଟର

ପୋଷ୍ଟାଲ୍‌ ବାଲାଟ୍‌ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ତିର୍ତ୍ତୋଲରେ ୩,୬୮୧ ଓ ବାଲେଶ୍ବରରେ ୧,୭୨୭ ଜଣ ପୋଷ୍ଟାଲ ଭୋଟର

The Sentinel Assam

ଭୁବନେଶ୍ବର : କୋଭିଡ୍‌ ମହାମାରୀ ସମୟରେ ବାଲେଶ୍ବର ଓ ତିର୍ତ୍ତୋଲ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ କରାଯିବ। ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହି ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ପୁଲିଂ ଟିମ୍‌ ଗଠନ କରାଯାଇଛି। ଆସନ୍ତା ୨୦ ତାରିଖ ପରେ ସୁରକ୍ଷା କର୍ମୀ ଓ ଭିଡିଓଗ୍ରାଫି ଦଳଙ୍କ ସହ ଏହି ଟିମ୍‌ଗୁଡ଼ିକ ମତଦାନର ଦିନକ ପୂର୍ବରୁ ଭୋଟ କାର୍ଯ୍ୟ ସମ୍ପନ୍ନ କରିବେ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଅକ୍ଟୋବର ୧୦ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ମାଧ୍ୟମରେ ୧୨(ଘ) ଫର୍ମ୍‌ ସମ୍ପୃକ୍ତ ଭୋଟରମାନଙ୍କ ନିକଟକୁ ପଠାଯାଇଥିଲା। ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ୩ ଶ୍ରେଣୀର ମୋଟ ୧୫ ହଜାର ୨୫୩ ଜଣ ଭୋଟରମାନଙ୍କ ମଧ୍ୟରୁ ୩ ହଜାର ୬୮୧ ଜଣ ଭୋଟର ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ଭୋଟ ଦେବାକୁ ପସନ୍ଦ କରିଛନ୍ତି। ସେମାନଙ୍କ ଭିତରୁ ୯ ହଜାର ୬୭୭ ଜଣ ଭୋଟର ବୁଥରେ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅବଶିଷ୍ଟ ୧ ହଜାର ୪୯୬ ଜଣ ଭୋଟର ବିଭିନ୍ନ କାରଣରୁ ଅନୁପସ୍ଥିତ ଅଛନ୍ତି।

ସେହିପରି ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮ ହଜାର ୨୭୫ ଜଣ ଭୋଟରଙ୍କ ମଧ୍ୟରୁ ୧ ହଜାର ୭୨୭ ଜଣ ପୋଷ୍ଟାଲ୍‌ ବାଲାଟର ଜରିଆରେ ମତଦାନ କରିବେ। ୩ ହଜାର ୫୦୩ ଜଣ ଭୋଟର ନିକଟସ୍ଥ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବେ। ବାକି ୯୦୨ ଜଣ ଭୋଟର ବିଭିନ୍ନ କାରଣରୁ ଅନୁପସ୍ଥିତ ଅଛନ୍ତି।

ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩୪୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦ ଜଣ ପୋଷ୍ଟାର ବାଲାଟ୍‌ ମାଧ୍ୟମରେ ଭୋଟ ଦେବାକୁ ପସନ୍ଦ କରିଥିବାବେଳେ ବାକି ଅନ୍ୟମାନେ ନିକଟସ୍ଥ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେବେ। ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ମୋଟ ୧୦୧ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପୋଷ୍ଟାଲ ବାଲାଟ ବ୍ୟବହାର କରିବେ ଓ ବାକି ୯୪ ଜଣ ଭୋଟ କେନ୍ଦ୍ରକୁ ଆସି ମତଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଅନ୍ୟ କୋଭିଡ୍‌ ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧ ଭୋଟର ଯଦି ପୋଷ୍ଟାଲ ବାଲାଟ୍‌ ପାଇଁ ଆବେଦନ କରିନାହାନ୍ତି ତାହେଲେ ଭୋଟ ଗ୍ରହଣ ଦିନ ସୁସ୍ଥ ଅନୁଭବ କଲେ ନିକଟସ୍ଥ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ପୂର୍ବରୁ ଜଣାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe