ଭୟ ବଢ଼ାଇଲା କରୋନାର ତୃତୀୟ ଲହର: ଶିଶୁଭବନରେ ଖୋଲିବ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍

୭ଟି ମେଡିକାଲ୍ କଲେଜରେ ବି ସ୍ବତନ୍ତ୍ର ୱାର୍ଡ ପାଇଁ ପ୍ରସ୍ତାବ

ଭୟ ବଢ଼ାଇଲା କରୋନାର ତୃତୀୟ ଲହର: ଶିଶୁଭବନରେ ଖୋଲିବ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍

Telegraph India

କଟକ : କରୋନାର ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ପ୍ରାକ୍ ପ୍ରସ୍ତୁତି ସ୍ବରୂପ କଟକର ଶିଶୁଭବନରେ ଖୋଲିବାକୁ ଯାଉଛି ଶିଶୁଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍। ଶିଶୁଭବନରେ କରୋନା ସଂକ୍ରମିତ ଭାବେ ଚିହ୍ନଟ ହେଉଥିବା ଶିଶୁଙ୍କୁ ଏଣିକି ବାହାର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯିବ ନାହିଁ। ଶିଶୁଭବନ ପରିସରରେ ଖୋଲିବାକୁ ଯାଉଥିବା ହସପିଟାଲରେ ସେମାନଙ୍କର ଚିକିତ୍ସା କରାଯିବ। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ବେଡ୍ ଖୋଲିବ, ସେ ନେଇ ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଖୁବଶୀଘ୍ର ଏ ସଂପର୍କିତ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ବୋଲି ଆଶା କରାଯାଉଛି।

କରୋନାର ପ୍ରଥମ ଲହରରେ ଶିଶୁଭବନରେ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ସନ୍ଦେହ କରାଯାଉଥିବା ଶିଶୁଙ୍କ ପାଇଁ ସାରୀ ଓ୍ବାର୍ଡ ନାଁରେ ଏକ ଆସୋଲେସନ୍ କେନ୍ଦ୍ର ଖୋଲା ଯାଇଥିଲା। ମେଡିକାଲ୍ ୱାର୍ଡ ୩ରେ ଡାଇରିଆ ୱାର୍ଡର ଉପର ମହଲାରେ ୧୨ ବେଡ୍ ବିଶିଷ୍ଟ ଏହି ଆଇସୋଲେସନ୍ ଓ୍ବାର୍ଡ କାର୍ଯ୍ୟ କରୁଥିବା ବେଳେ ତାହାକୁ ବିଧିବଦ୍ଧ ଭାବେ କୋଭିଡ୍ ହସପିଟାଲ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ହସପିଟାଲ୍ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସାରୀ ୱାର୍ଡରେ କେବଳ ସନ୍ଦିଗ୍ଧ ରହୁଥିବା ବେଳେ କରୋନା ପରୀକ୍ଷାରୁ ସଂକ୍ରମିତ ଚିହ୍ନଟ ପରେ ସେମାନଙ୍କୁ ଅନ୍ୟ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିଲା। ଏବେ କିନ୍ତୁ ଶିଶୁଭବନରେ ମୋଟ ୪୧୬ ବେଡ୍ ଥିବା ବେଳେ ସେହି ବେଡରୁ କୋଭିଡ୍ ହସପିଟାଲ୍ ପାଇଁ କିଛି ବେଡ୍ ଅଲଗା କରାଯିବ। ରାଜ୍ୟ ସରକାର ଏନେଇ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ଜ୍ଞାନେନ୍ଦ୍ର ନାଥ ବେହେରା ସୂଚନା ଦେଇଛନ୍ତି। ଶିଶୁଭବନ ସମେତ ୭ଟି ମେଡିକାଲ୍ କଲେଜରେ ମଧ୍ୟ ଶିଶୁରୋଗୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍ ଖୋଲାଯିବାର ଯୋଜନା ରହିଛି। କଟକ ବଡ଼ ଡାକ୍ତରଖାନା ସମେତ ବ୍ରହ୍ମପୁର ଏମକେସିଜି, ବୁର୍ଲା ଭିଏସଏସ୍, ଏସଏଲଏନ ମେଡିକାଲ୍ କଲେଜ କୋରାପୁଟ, ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ ବଲାଙ୍ଗୀର, ଫକିର ମୋହନ ମେଡିକାଲ୍ କଲେଜ ଏବଂ ହସପିଟାଲ୍ ବାଲେଶ୍ବର, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଓ ହସପିଟାଲ୍ ବାରିପଦାରେ କୋଭିଡ୍ ହସପିଟାଲ୍ ଖୋଲାଯିବାକୁ ପ୍ରସ୍ତାବ ରହିଛି। କଟକ ବଡ଼ ଡାକ୍ତରଖାନାରେ ଏବେ କରୋନାରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ୧୫ଟି ବେଡ୍ ରହିଛି। ୪ ଜଣ ଡାକ୍ତର, ୫ ଜଣ ନର୍ସ, ଆଟେଣ୍ଡାଣ୍ଟ ୩ ଜଣଙ୍କୁ ୮ ଘଣ୍ଟା ଲେଖାଏଁ ୨୪ ଘଣ୍ଟିଆ ଡ୍ୟୁଟିରେ ସେଠାରେ ନିୟୋଜିତ କରାଯାଇଛି। ସେହି ଅନୁଯାୟୀ, ଶିଶୁ ଭବନରେ ବେଡ୍ ସଂଖ୍ୟା ସ୍ଥିର କରାଗଲେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ସଂଖ୍ୟା ମଧ୍ୟ ସ୍ଥିର କରାଯିବ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe