ପାଠପଢାରେ କ୍ଷତି ଭରଣା ପାଇଁ ଅଣାଯାଉ ସ୍ବତନ୍ତ୍ର ଶିକ୍ଷାନୀତି : ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ ସଂଘ, ୧୪ରେ ପରବର୍ତ୍ତୀ ଶୁଣାଣି

Advertisment
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା: ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha News Insight

କଟକ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ ସମସ୍ତ ସ୍କୁଲ ମାର୍ଚ୍ଚ ମାସରୁ ବନ୍ଦ ଥିବାବେଳେ ବହୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପ୍ରକ୍ରିୟାରୁ ବାଦ୍‌ ପଡିଛନ୍ତି। ଏହି ଛାତଛାତ୍ରୀମାନଙ୍କ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାହାକୁ ଭରଣା କରିବା ପାଇଁ ସରକାର ସ୍ବତନ୍ତ୍ର ଏକାଡେମିକ୍ ପଲିସି ଆଣନ୍ତୁ ବୋଲି ଦର୍ଶାଇ ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛି।

ଆସୋସିଏସନର ରାଜ୍ୟ ସଭାପତି ପି.ନାୟକଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ସ୍କୁଲ ବନ୍ଦ ରହିଥିବା ବେଳେ ଅନ୍ ଲାଇନରେ ପାଠପଢା ଚାଲିଛି ବୋଲି କୁହାଯାଉଛି। କିନ୍ତୁ ରାଜ୍ୟରେ ବହୁ ଗରିବ ପରିବାର ରହିଛନ୍ତି, ଯେଉଁଠି ପିଲାଙ୍କ ପାଖରେ କମ୍ପ୍ୟୁଟର ବା ମୋବାଇଲ ଫୋନ୍ ନାହିଁ। ସେହିଭଳି ଭାବେ ମୋବାଇଲ ନେଟୱର୍କ ମଧ୍ୟ ବହୁ ସ୍ଥାନରେ ନାହିଁ। ପିଲାମାନେ ଗଛରେ ଚଢି ପାଠ ପଢିବା ଭଳି ଦୃଶ୍ୟ ‌ଖବରକାଗଜରୁ ଦେଖିବାକୁ ମିଳୁଛି। କେତେକ ପରିବାରରେ ଗୋଟିଏ କମ୍ପ୍ୟୁଟର/ମୋବାଇଲ ଥିବାବେଳେ ଏକାଧିକ ପିଲା ରହିଛନ୍ତି। ଫଳରେ ଅନ୍ ଲାଇନ କ୍ଲାସ୍‌ରେ ଠିକ୍ ଭାବେ ସବୁ ପିଲାଙ୍କ ଉପସ୍ଥାନ ରହି ପାରୁନାହିଁ। ଏଥିସହିତ ଅନ୍ ଲାଇନ କ୍ଲାସ ବ୍ୟବସ୍ଥା ସହିତ ପୂର୍ବରୁ ଅଭ୍ୟସ୍ତ ନଥିବା ଅଧିକାଂଶ ଛାତ୍ରଛାତ୍ରୀ ଏହା ଦ୍ବାରା ଠିକ୍ ଭାବେ ପାଠପଢି ପାରୁନାହାନ୍ତି। ଏଭଳି ସ୍ଥିତିରେ ଅନେକ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରେ ଜମାରୁ ପାଠ ପଢିବାର ସୁଯୋଗ ପାଇ ନାହାନ୍ତି ବୋଲି ଅଭିଯୋଗ ହେଉଛି। କେବଳ କୋର୍ସ କମାଇଦେଲେ ଚଳିବ ନାହିଁ। ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଯେଉଁ କ୍ଷତି ସହିଛନ୍ତି ତାହାକୁ ଭରଣା କରିବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇ ଏକାଡେମିକ୍ ପଲିସି ଆଣିବା ଉଚିତ। ଏହି ଶିକ୍ଷାବର୍ଷରେ ପିଲାମାନେ କେମିତି ସେମାନଙ୍କ ପଢା ଶେଷ କରିବେ ସେଥିପାଇଁ ସରକାର ଯୋଜନା କରି ଘୋଷଣା କରିବା ଉଚିତ। ଏଥିସହିତ କରେନା ସଂକ୍ରମଣ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସ୍କୁଲ ଫି’ ଛାଡ ପ୍ରସଂଗରେ ସରକାର ପଦକ୍ଷେପ ନେବା ଉଚିତ। ସ୍କୁଲ ଫି ଛାଡ ଯୋଗୁଁ ଘରୋଇ ଶିକ୍ଷାନୁଷ୍ଠାନ ସହିବାକୁ ଥିବା କ୍ଷତି ଭରଣା ପାଇଁ ସରକାର ଯଦି ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରନ୍ତି ତେବେ ଏଥିପାଇଁ ସମସ୍ତେ ରାଜି ହେବେ ବୋଲି ଆବେଦନରେ ଦର୍ଶାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍କୁଲ ଫି ଛାଡ ପ୍ରସଂଗ ସଂପର୍କିତ ଅନ୍ୟ ମାମଲା ଗୁଡିକ ସହିତ ଏହି ଆବେଦନର ସେପ୍ଟେମ୍ବର ୧୪ରେ ଶୁଣାଣି ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe