ଭଞ୍ଜନଗର (ବିଶ୍ବମ୍ବର ଜେନା): ପେସାରେ ଡାକ୍ତର। କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ବି ପରିବେଶର ସୁରକ୍ଷାକୁ ନେଇ ସେ ଚିନ୍ତିତ ଓ ତତ୍ପର। ଏଥିପାଇଁ ରୋଗୀଙ୍କୁ ଦେଉଥିବା ପ୍ରେସ୍କ୍ରିପସନ୍ରେ ଔଷଧ ସହ ସେଥିରେ ‘ଗଛ ଲଗାନ୍ତୁ’ ବୋଲି ଲେଖି ନିଆରା ଢଙ୍ଗରେ ସଚେତନତା ଜାରି ରଖିଛନ୍ତି। ଏମିତି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡାକ୍ତରଖାନାରେ ଅଧୀକ୍ଷକ ଭାବେ କାର୍ଯ୍ୟରତ ଡା. ସୀତାଂଶୁ ଶେଖର ଶତପଥୀ। ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିବା ସହ ପ୍ରକୃତି ପ୍ରତି ତାଙ୍କର ଏଭଳି ନିଆରା ପ୍ରେମ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବନି। ତାଙ୍କର ଏହି ପ୍ରୟାସକୁ ନେଇ ସଭିଙ୍କ ମୁହଁରେ ପ୍ରଶଂସା।
ଡା. ସୀତାଂଶୁଙ୍କ ପାଖକୁ ପ୍ରତିଦିନ ଗର୍ଭବତୀଙ୍କ ସମେତ ଅନ୍ୟାନ୍ୟ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ସମୟରେ ସେ ପ୍ରେସ୍କ୍ରିପସନ୍ରେ ଔଷଧର ତାଲିକା ଓ ନମୁନା ପରୀକ୍ଷା ବିଷୟରେ ଲେଖିବା ସହ ଗଛ ଲଗାଇବା ବିଷୟରେ ଲେଖିବାକୁ ଭୁଲନ୍ତି ନାହିଁ। ‘ଗର୍ଭସ୍ଥ ସନ୍ତାନର ଯେମିତି ଯତ୍ନ ନେଉଛ, ସେମିତି ବାପଘରେ ଅଥବା ଶ୍ବଶୁରଘରେ ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନିଅ’ ବୋଲି ଗର୍ଭବତୀଙ୍କୁ ବୁଝାଉଛନ୍ତି। ବିଶେଷକରି ଫଳଗଛ ଲଗାଇବା ଉପରେ ସେ ଅଧିକ ଗୁରୁତ୍ବ ଦେଉଛନ୍ତି। ଯଦ୍ବାରା ମଣିଷ ଜାତି ସହ ପଶୁପକ୍ଷୀ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ପରାମର୍ଶ ଦେଉଛନ୍ତି। କେବଳ ଏତିକି ନୁହେଁ, ଦ୍ବିତୀୟ ଥର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିବା ଗର୍ଭବତୀ ଓ ରୋଗୀଙ୍କୁ ‘ଗଛ ଲଗାଇ ଯତ୍ନ ନେଉଛ କି ନାହିଁ’ ବୋଲି ପଚାରୁଛନ୍ତି। ଏପରିକି ତାଙ୍କ ପରାମର୍ଶକୁ ଗ୍ରହଣ କରି କିଛି ରୋଗୀ ବର୍ତ୍ତମାନ ଚାରାରୋପଣ କରିସାରିଥିବା ସହ ଏହାର ଫଟୋ ଆଣି ଦେଖାଇଥିବା ଡା. ସୀତାଂଶୁ କହିଛନ୍ତି।
‘ସମ୍ବାଦ’ ସହ ଆଲୋଚନା ବେଳେ ଡା. ସୀତାଂଶୁ କହିଛନ୍ତି, ପିଲାବେଳେ ଖରାଦିନେ ଆମେ କେବେ ଘରେ ରହୁ ନଥିଲୁ। ଆମ୍ବ ତୋଟା ଓ କୋଳି ବଗିଚାରେ ଦିନତମାମ ବୁଲୁଥିଲୁ। ସେହି ସମୟରେ ତାପମାତ୍ରା ବି ଏତେ ଅଧିକ ରହୁ ନଥିଲା। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳିଯାଇଛି। ବିଶ୍ବ ତାପାୟନ, ଜଳବାୟୁରେ ପରିବର୍ତ୍ତନ ଓ ଗଛକଟା ସମେତ ବିଭିନ୍ନ କାରଣରୁ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। ଦିନରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି। ଆଗାମୀ ପିଢ଼ି ପାଇଁ ବୋଧହୁଏ ଏହି ଗ୍ରୀଷ୍ମପ୍ରବାହକୁ ସହ୍ୟ କରିବା କଷ୍ଟସାଧ୍ୟ ହେବ। ଫଳରେ ବାପାମାଆ ଯେମିତି ପିଲାଙ୍କୁ ବଡ଼ ଆଦରର ସହ ପାଳି ସେମାନଙ୍କ ଯତ୍ନ ନେଉଛନ୍ତି, ସେଭଳି ଭାବେ ଭବିଷ୍ୟତରେ ଏକ ଉତ୍ତମ ପରିବେଶ ସୃଷ୍ଟି ପାଇଁ ଏବେଠାରୁ ସଜାଗ ହେବା ଦରକାର। ଯଦ୍ବାରା ଆଗାମୀ ପିଢ଼ି ପାଇଁ ଏହା ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ। ଏଣୁ ଗଛ ଲଗାଇବାକୁ ସେ ଏଭଳି ଢଙ୍ଗରେ ସଚେତନ କରୁଥିବା କହିଛନ୍ତି।
Follow Us