ଭୁବନେଶ୍ୱର: ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ। ଦଶହରାକୁ ଦୃଷ୍ଟିରେ ରଖି ଆଜିଠୁ ଅର୍ଥାତ୍ ୧୨ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ଉପଲବ୍ଧ ହେଉଛି। ଓଟିଡିସି ପରିଚାଳିତ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପୂଜା ପାଇଁ ସ୍ପେସାଲ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି।
ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦ୍ଘାଟନ କରିଛନ୍ତି। ପାନ୍ଥନିବାସ କର୍ମଚାରୀ ଓ ମିସନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, କୋଭିଡ୍ ଗାଇଡଲାଇନ୍ ଓ କଟକଣା ଭିତରେ ଏହି ପିଠା ପ୍ରସ୍ତୁତ ସହ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଓଟିଡିସି ଦ୍ୱାରା ରଜ ମହୋତ୍ସବ ସମୟରେ ‘ପିଠା ଅନ୍ ହ୍ୱିଲ’ କାର୍ଯ୍ୟକ୍ରମ ମାଧ୍ୟମରେ ପିଠା ବିକ୍ରିକୁ ଲୋକେ ବେଶ୍ ପସନ୍ଦ କରିଥିଲେ। ପିଠା ବିକ୍ରିର ସଫଳତା ଓ ଲୋକମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଓଟିଡିସି ପ୍ରଥମଥର ପାଇଁ ଦଶହରାରେ ବି ପିଠା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର, କଟକ ଓ ସମ୍ବଲପୁର ପାନ୍ଥନିବାସ ସମେତ ଭୁବନେଶ୍ୱର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, କଟକର ସିଲିଭରସିଟି ବୋଟ୍ କ୍ଲବରେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲାଯାଇ ଏହି ପିଠା ବିକ୍ରି ଆଜିଠୁ ଆରମ୍ଭ ହୋଇଛି। ଏହାସହିତ ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକଠାରେ ଏବଂ କଟକର ସିଲିଭରସିଟି ବୋଟ କ୍ଲବ ଓ ସିଡିଏ ଠାରେ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ବି ପିଠା ଯୋଗାଇ ଦିଆଯିବ।
ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ ଯେ, ଦଶହରା ପୂଜାର ୪ଦିନ ଆରିଷା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ। ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ରେ ମଧ୍ୟ ଦଶହରା ପାଇଁ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି। ନିମନ୍ତ୍ରଣରେ ‘ପିଠା’ ମଧ୍ୟ ଉପଲବ୍ଧ ହେବ। ପିଠା ସହିତ ବୁଟ ଡାଲି ବରା ଓ ପାତାଳଘଣ୍ଟା ଚଟନି, ନିମନ୍ତ୍ରଣ ଚିକେନ କୋପ୍ତା ପୋଡ଼ା, ନିମନ୍ତ୍ରଣ ମସରୁମ୍ କୋପ୍ତା ପୋଡ଼ା, ମଟନ କୋପ୍ତା, ସୋରିଷ ବଟା ଫିସ୍ ଫିଙ୍ଗର, ପତ୍ର ପୋଡ଼ା ମସରୁମ୍, ପ୍ରନ୍ ଛେଚା, ବାଲି ପ୍ରନ୍, କାକରା-ଘୁଗୁନି, ପାମ୍ପଡ଼ି ଚାଟ୍, ବରା- ଘୁଗୁନି, ଦହିବରା ଆଦି ସ୍ପେସାଲ ବ୍ୟଞ୍ଜନ ଏସବୁ କାଉଣ୍ଟରରେ ଉପଲବ୍ଧ ହେବ।
Follow Us